୭ ଜିଲାରେ ୧୨ ଏନ୍ଏସି ଗଠନ ପାଇଁ ଡ୍ରାଫ୍ଟ ନୋଟିସ୍
ରାଜ୍ୟରେ ନୂଆ NAC ପାଇଁ ଶନିବାର ଡ୍ରାଫ୍ଟ ନୋଟିସ୍ ପ୍ରକାଶ ପାଇଛି। ୭ ଜିଲାରେ ୧୨ ଏନ୍ଏସି ଗଠନ ହେବା ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ଅନୁଗୋଳର ପାଲଲହଡ଼ା, ସୁବର୍ଣ୍ଣପୁରର ବୀରମହାରାଜପୁର, ବାଲେଶ୍ୱରର ସିମୁଳିଆ ଏବଂ ବସ୍ତା, ମୟୂରଭଞ୍ଜର ବାଙ୍ଗିରିପୋଷି ଏବଂ ଚିତ୍ରଡ଼ା, ରାୟଗଡ଼ାର ବିଷମକଟକ, ସମ୍ବଲପୁରର ବାମରା ଏବଂ ରେଙ୍ଗାଲି, ଭଦ୍ରକ ଜିଲାର ତିହିଡ଼ି ଏବଂ ଧୂଷୁରୀକୁ ଏନ୍ଏସି କରିବା ଦର୍ଶାଯାଇଛି।
ସୂଚନାଯୋଗ୍ୟ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗତ ଜୁନ ମାସ ୧୧ ତାରିଖ ଦିନ କହିଥିଲେ ଯେ, ରାଜ୍ୟ ସରକାର ଖୁବ୍ଶୀଘ୍ର ରାଜ୍ୟବାସୀଙ୍କୁ ୧୦ରୁ ଅଧିକ ଏନ୍ଏସି ଏବଂ ୨ରୁ ଅଧିକ ପୌରପାଳିକା ଭେଟିଦେବେ। ଗୃହନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। ମନ୍ତ୍ରୀ ଶ୍ରୀ ମହାପାତ୍ର କହିଥିଲେ ଯେ ରାଜ୍ୟରେ ନୂଆ ଏନ୍ଏସି ଏବଂ ଏନ୍ଏସିକୁ ପୌରପାଳିକାରେ ପରିଣତ କରିବା ନେଇ ଜିଲ୍ଲାପାଳମାନଙ୍କୁ ଫିଜିବିଲିଟି ରିପୋର୍ଟ ମଗାଯାଇଥିଲା। ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଆମେ ଏନ୍ଓସି ପାଇଁ ଏହାକୁ ପଞ୍ଚାୟତିରାଜ ବିଭାଗକୁ ପଠାଇଥିଲୁ। ପଞ୍ଚାୟତିରାଜ ବିଭାଗ ଏବେ ଏନ୍ଓସି ଦେଇଥିବାରୁ ଖୁବ୍ଶୀଘ୍ର ନୂଆ ଏନ୍ଏସି ଘୋଷଣା ହେବ। ସେହିପରି ଏନ୍ଏସିକୁ ପୌରପାଳିକାରେ ପରିଣତ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପ୍ରସ୍ତୁତି ଶେଷ ହୋଇଥିବାରୁ ଏହାକୁ ମଧ୍ୟ ଘୋଷଣା କରାଯିବ। ଏହାପରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।ଏଥି ପାଇଁ ୧୨ଟି ନୂଆ ଏନ୍ଏସି ପାଇଁ ଡ୍ରାଫ୍ଟ ନୋଟିସ୍ ଜାରି କରିଛନ୍ତି। ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
Powered by Froala Editor