ଭାରତୀୟ ଟିମ୍କୁ ଉତ୍ସାହିତ କରିବା ପାଇଁ ଥିମ୍ ସଙ୍ଗ୍ ଉନ୍ମୋଚନ କଲେ କ୍ରୀଡ଼ାମନ୍ତ୍ରୀ
ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ ଦଳର ଅଫିସିଆଲ ସଙ୍ଗୀତ ବା ଥିମ ସଙ୍ଗ୍ ଉନ୍ମୋଚନ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । ଏହି ସଙ୍ଗୀତର ଟାଇଟଲ 'cheer4India' ରଖାଯାଇଛି। ଗ୍ରାମୀ ତଥା ଓସ୍କାର ପୁରସ୍କାର ବିଜେତା ସଙ୍ଗୀତକାର ଏ.ଆର. ରହମାନ ଓ ଗାୟିକା ଅନନ୍ୟା ବିର୍ଲାଙ୍କ ମିଳିତ ପ୍ରୟାସରେ ଏହି ଅଫିସିଆଲ ସଙ୍ଗୀତ ହିନ୍ଦୁସ୍ଥାନୀ ଶୈଳୀରେ ପ୍ରସ୍ତୁତ କରାଯାଇଛି। ଅଲିମ୍ପିକ୍ସ ଅବସରରେ ଦେଶର ଆଥ୍ଲେଟମାନଙ୍କୁ ପୂର୍ଣ୍ଣ ମନପ୍ରାଣରେ ସମର୍ଥନ କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି। ଦେଶର ସବୁ ନାଗରିକଙ୍କୁ ଏହି ସଙ୍ଗୀତ ଶୁଣିବାକୁ, ଶେୟାର କରିବାକୁ ଓ ସମ୍ପୂର୍ଣ୍ଣ ଭାରତୀୟ ଦଳକୁ ଉତ୍ସାହିତ କରିବାକୁ ଠାକୁର ଅନୁରୋଧ କରିଛନ୍ତି। ସଙ୍ଗୀତର ଉନ୍ମୋଚନ ଅବସରରେ କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନୀଶିଥ ପ୍ରମାଣିକ, କ୍ରୀଡ଼ା ସଚିବ ରବି ମିତ୍ତଲ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପ୍ରବନ୍ଧ ନିର୍ଦ୍ଦେଶକ ରାଜୀବ ମେହେଟା ଓ ଅନ୍ୟମାନେ ଉପସ୍ଥିତ ଥିଲେ। କୋଭିଡ୍-୧୯ ମହାମାରୀ ପ୍ରକୋପ ଜାରି ରହିଥିବା ବେଳେ ଏହି ସଙ୍ଗୀତ ସଂରଚନା କରିଥିବାରୁ ଶ୍ରୀ ଠାକୁର ରହମାନ ଓ ଅନନ୍ୟାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସୂଚନା ଯେ, ଟୋକିଓରେ ଅଲିମ୍ପିକ୍ସ ଜୁଲାଇ ୨୩ରୁ ଆରମ୍ଭ ହୋଇ ଅଗଷ୍ଟ ୮ ତାରିଖରେ ଶେଷ ହେବ। ଅଲିମ୍ପିକ୍ସରେ ଏଥର ୧୮ଟି କ୍ରୀଡ଼ାବର୍ଗରେ ଦେଶର ୧୨୬ଜଣ ଆଥ୍ଲେଟ ଅଂଶଗ୍ରହଣ କରିବେ।
Powered by Froala Editor