ଜମି ହରାଇଥିବା ଲୋକଙ୍କୁ ସରକାର ଯୋଗାଇ ଦେବେ ଜମି
ଭୁବନେଶ୍ବର: ବିସ୍ଥାପିତ ଓ ବିପର୍ଯ୍ୟୟରେ ଜମି ହରାଇଥିବା ଲୋକଙ୍କୁ ସରକାର ଜମି ଯୋଗାଇ ଦେବେ। ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ ଶ୍ରୀ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି, ୧୯୫୩ ମସିହାର ସମସ୍ୟା ବି ସରକାରଙ୍କ ପାଖକୁ ଆସୁଛି। ୧୯୬୩ ମସିହାରେ ଜମି ବନ୍ଦୋବସ୍ତ ହୋଇଥିଲା। ଏହି ବନ୍ଦୋବସ୍ତ ଉପରେ ମଧ୍ୟ ଅଭିଯୋଗ ଆସୁଛି। ୩୭ଟି ଗାଁରେ ସମସ୍ୟା ରହିଛି। ବିଧାୟକମାନେ ଅଭିଯୋଗମାନ ବିଭାଗ ନଜରକୁ ଆଣିଛନ୍ତି। ତାଙ୍କ କହିବା ମୁତାବକ, କଟକ ଜିଲାର ନିଆଳିରେ ୧୯୮୨ ମସିହାରୁ ଏହି ସମସ୍ୟା ନଜରକୁ ଆସିଛି। ନିଆଳି ସହ ବଡ଼ମ୍ବାରେ ବି ବନ୍ୟା ସମୟରେ ଅନେକ ଲୋକ ଜମି ହରାଇଛନ୍ତି। ତେଣୁ ସରକାର ସେମାନଙ୍କୁ ଜମି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ବନ୍ଧରେ ଜିଲାପାଳଙ୍କୁ ରିପୋର୍ଟ ମଗାଯାଇଛି। କେଉଁ କେଉଁ ଗାଁରେ ଏବଂ କେତେ ଲୋକଙ୍କର ଏମିତି ହୋଇଛି ତା’ର ସବିଶେଷ ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଛି। ଆଇନ ପରିବର୍ତ୍ତନ କରିବାକୁ ରାଜସ୍ବ ବିଭାଗ ଅଧିକାରୀଙ୍କୁ ନିର୍ଦେଶ ଦେଇଥିବାବେଳେ ଜମି ଅଦଳ-ବଦଳ ନୂଆ ଯୋଜନା ଆଣିବାକୁ ସ୍ଥିରୀକୃତ କରାଯାଇଛି। ପାଣି ଭିତରେ ଯେତିକି ପରିମାଣ ଜମି ଥିବ ନଦୀ ବାହାରେ ସେତିକି ପରିମାଣ ଜମି ଯୋଗାଇ ଦିଆଯିବ। ହେଲେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ଜଙ୍ଗଲ କିସମରେ ଥିଲେ କିସମ ପରିବର୍ତ୍ତନ କରାଯାଇ ପାରୁନାହିଁ। ଫଳରେ ପଟ୍ଟା ଦେବାରେ ସମସ୍ୟା ରହିଛି।
ବହୁବର୍ଷ ପୂର୍ବେ ବିଦ୍ୟାଳୟ ଆରମ୍ଭ ହେଲାବେଳେ ଅନେକ ଲୋକ ଜମି ଦାନ କରିଥିଲେ ବି ଆଜିପର୍ଯ୍ୟନ୍ତ ସେଗୁଡ଼ିକର କାଗଜପତ୍ର କିଛି ହୋଇ ନଥିଲା। ଏବେ ସେହି ବ୍ୟକ୍ତିଙ୍କ ନାମରେ ଜମି ଥିବାବେଳେ ତା’ର ଉତ୍ତରାଧିକାରୀ ଦସ୍ତଖତ ଦେବାକୁ ମନା କରୁଛନ୍ତି। ଏକ୍ଷେତ୍ରରେ ପଟ୍ଟା ଦିଆଯାଇ ପାରୁନାହିଁ। ସରକାରୀ ଜମି ଉପରେ ଥିବା ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟକୁ ପଟ୍ଟା ଦିଆଯାଇଛି। ଯେଉଁ ବିଦ୍ୟାଳୟରେ ଖେଳ ପଡ଼ିଆ ନାହିଁ ସେ କ୍ଷେତ୍ରରେ ଖେଳ ପଡ଼ିଆ ପାଇଁ ଜମି ଯୋଗାଇ ଦେବାକୁ ରାଜସ୍ବ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟ ପାଖରେ ଥିବା ୨ଏକର ସରକାରୀ ଜମି ଖେଳ ପଡ଼ିଆ ନିମନ୍ତେ ଦିଆଯିବ।
Powered by Froala Editor