ଘର ପ୍ରମାଣ ପତ୍ର ପାଇଁ କ୍ୟାଟ୍ କୁମାରର ଆବେଦନ

ପୂର୍ବରୁ କୁକୁର ନାଁରେ କରାଯାଇଥିଲା ଘର ପ୍ରମାଣ ପତ୍ର ଏବେ ବିଲେଇ ନାଁରେ ହୋଇଛି ଆବେଦନ। ବିହାରର ରୋହତାସରେ ଏକ ବିଲେଇ ନାମରେ ଆବାସିକ ପ୍ରମାଣପତ୍ର ପାଇବା ପାଇଁ ଏକ ଆବେଦନ କରାଯାଇଛି। ଆବେଦନକାରୀଙ୍କ ନାମ କ୍ୟାଟ୍ କୁମାର, ପିତା ଭାବରେ କ୍ୟାଟି ବସ୍ ଏବଂ ମାତା ଭାବରେ କାଟିୟା ଦେବୀ ନାମ ରହିଛି। ସେହି ଆବେଦନ ଫର୍ମରେ ଏକ ବିଲେଇର ଫଟୋ ମଧ୍ୟ ରହିଛି। ଯାହାକି ପ୍ରଶାସନିକ ବ୍ୟବସ୍ଥା ଏବଂ ଅନଲାଇନ୍ ବ୍ୟବସ୍ଥାର ତ୍ରୁଟିକୁ ପୁଣିଥରେ ପ୍ରକାଶ କରିଛି।
ବିହାରର ରୋହତାସ ଜିଲ୍ଲାରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ବିଲେଇ ନାଁରେ ବାସସ୍ଥାନ ପ୍ରମାଣପତ୍ର ପାଇଁ ଆବେଦନ କରାଯାଇଥିଲା। ଏହି ଅଜବ ଆବେଦନଟି ବିହାରର RTPS (ରିଅଲ୍-ଟାଇମ୍ ପବ୍ଲିକ୍ ସର୍ଭିସ୍) ପୋର୍ଟାଲରେ ୨୦୨୫ ମସିହା ଜୁଲାଇ ୨୯ ତାରିଖରେ ଦାଖଲ କରାଯାଇଥିଲା। ଆବେଦନରେ ଦିଆଯାଇଥିବା ଠିକଣା ହେଉଛି ଗ୍ରାମ ଆଟିମିଗଞ୍ଜ, ୱାର୍ଡ ନମ୍ବର ୦୭, ପୋଷ୍ଟ ମହଦେବ, ପୋଲିସ ଷ୍ଟେସନ ନାସରିଗଞ୍ଜ, ଜିଲ୍ଲା ରୋହତାସ।
ନାସରିଗଞ୍ଜ ଜୋନରେ କାର୍ଯ୍ୟରତ ରାଜସ୍ୱ କର୍ମଚାରୀ କୌଶଳ ପଟେଲ ତଦନ୍ତରେ ଜାଣିପାରିଲେ ଯେ ଆବେଦନଟି ସମ୍ପୂର୍ଣ୍ଣ ନକଲି। ଯେହେତୁ ନାମ, ପିତା ଏବଂ ମାତାଙ୍କ ନାମ ଏବଂ ଫଟୋ ସବୁ ଭୁଲ ଥିଲା ଏହି ଆବେଦନ ନକଲି ବୋଲି ଜଣାପଡିଲା।
ଥାନାରେ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ୨୯ ଜୁଲାଇ ୨୦୨୫ରେ ମୋବାଇଲ ନମ୍ବର ୬୨୦୫୮୩୧୭୦୦ରୁ ଆବାସିକ ପ୍ରମାଣପତ୍ର ପାଇଁ ଏହି ଆବେଦନ ଆସିଥିଲା। ଯେଉଁଥିରେ ନାମ, ମାତା-ପିତାଙ୍କ ନାମ ଏବଂ ଇ-ମେଲ ଆଇଡି ମଧ୍ୟ ଉଲ୍ଲେଖ ଥିଲା। ଅଭିଯୋଗ ହେଉଛି ଯେ ଏହି ଆବେଦନ ମାଧ୍ୟମରେ କେବଳ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବାର ଚେଷ୍ଟା ହୋଇନଥିଲା, ବରଂ ସରକାରୀ ବ୍ୟବସ୍ଥାର ପ୍ରତିଷ୍ଠାକୁ ଖରାପ କରିବାର ଷଡଯନ୍ତ୍ର ମଧ୍ୟ ରଚା ଯାଇଥିଲା।
Powered by Froala Editor