କଳିରେ ଦ୍ୱାପର ଯୁଗର ଚିତ୍ର : ବେକେ ପାଣିରେ ପୁଅକୁ ଟେକି ଟେକି ନେଲା ବାପା

ପ୍ରୟାଗରାଜରେ ଦ୍ବାପର ଯୁଗର ଭ୍ରମ ସୃଷ୍ଟି ହୋଇଛି । ଦ୍ୱାପର ଯୁଗରେ କୃଷ୍ଣଙ୍କୁ ବଞ୍ଚାଇବାକୁ ବର୍ଷା ରାତିରେ ଯମୁନା ନଦୀ ପାର କରି ଗୋପପୁରରେ ପହଞ୍ଚିଥିଲେ ବାସୁଦେବ। ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଦେବାକୁ ଯମୁନା ନଦୀର ଅକାତ କାତ ପାଣିରେ କୃଷ୍ଣଙ୍କୁ ମୁଣ୍ଡରେ ରଖି ଆଣିଥିଲେ। କିଛି ଏମିତି ଚିତ୍ର ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ପ୍ରୟାଗରାଜରେ।
ପ୍ରୟାଗରାଜରେ ଗଙ୍ଗା ଏବଂ ଯମୁନାର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହି ସମୟରେ, ସୋସିଆଲ ମିଡିଆରେ ଏକ ଭିଡିଓ ଅଧିକ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବକ କାନ୍ଧ ପର୍ଯ୍ୟନ୍ତ ପାଣିରେ ବୁଡ଼ି ନିଜ ନବଜାତ ଶିଶୁକୁ ହାତରେ ଟେକି ଧରି ବନ୍ୟା ପାଣି ପାର କରୁଛି।
ଏହି ସମୟରେ ସେ ସାଥୀରେ ଧର୍ମପତ୍ନୀଙ୍କୁ ଧରି ବେକେବେକେ ପାଣିରେ ପଶି ବାସୁଦେବଙ୍କ ପରି ନିଜର ଶିଶୁୁର ସୁରକ୍ଷା ପାଇଁ ଦୁଇହାତରେ ତାକୁ ଉପରକୁ ଟେକି ଯାତ୍ରା ଜାରି ରଖିଥିଲେ।ଠିକ ଏହି ସମୟରେ ଉକ୍ତ ପରିବାର ନିକଟରେ ଉଦ୍ଧାରକାରୀ ଡଙ୍ଗା ପହଞ୍ଚିଯାଇଥିଲା। ବାପ, ମା’ ପୁଅକୁ ବେକେବେକେ ପାଣିରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ନେଇ ଛାଡ଼ାଯାଇଥିଲା। ଏହାପରେ ସେଠାରେ ସେମାନଙ୍କର ଖାଦ୍ୟ, ପାନୀୟ ରହିବାର ବ୍ୟବସ୍ଥା କରାଯାଇଥିଲା।
ଏହାର ଭିଡିଓ ଭାଇରାଲ ହେବା ପରେ, ଲୋକମାନଙ୍କୁ ଦ୍ୱାପର ଯୁଗର ଘଟଣା ମନେ ପଡ଼ିଗଲା, ଯେତେବେଳେ ବାସୁଦେବ କଂସଙ୍କ କବଳରୁ ନବଜାତ କୃଷ୍ଣଙ୍କୁ ଉଦ୍ଧାର କରି ଯମୁନା ନଦୀ ପାର କରି ଗୋକୁଳକୁ ଯାଇଥିଲେ। ଏହି ଭିଡିଓଟି ପ୍ରୟାଗରାଜର ରାଜାପୁର ଅଞ୍ଚଳର କୁହାଯାଉଛି। କଲେଜ ଛାତ୍ରୀ ଅନାମିକା ତାଙ୍କ ଘର ଛାତ ଉପରୁ ଏହି ଦୃଶ୍ୟ ଦେଖି ମୋବାଇଲରେ କଏଦ କରିଥିଲେ।
Powered by Froala Editor