ଆନ୍ଧ୍ର ପଥର ଖଣିରେ ବିସ୍ଫୋରଣ, ୬ ଓଡ଼ିଆ ଶ୍ରମିକ ମୃତ

ଆନ୍ଧ୍ରପ୍ରଦେଶର ଏକ ପଥର ଖଣିରେ ବିସ୍ଫୋରଣ ଘଟିଛି। ଏଥିରେ ୬ ଜଣ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି। ମୃତକମାନଙ୍କ ମଧ୍ୟରୁ ୪ ଜଣ ଗଂଜାମ ଓ ଅନ୍ୟ ୨ ଜଣ ଗଜପତି ଜିଲ୍ଲାର ବୋଲି ଜଣାପଡ଼ିଛି। ମୃତକମାନେ ହେଲେ ଗଞ୍ଜାମ ଜିଲ୍ଲାର ଦଣ୍ଡ ବଡ଼ତ୍ୟା, ବନମାଳ ଚେହ୍ରା, ଭାସ୍କର ବିଶୋଇ, ସନ୍ତୋଷ ଗୌଡ଼ ଏବଂ ଗଜପତି ଜିଲ୍ଲାର ଟକୁନ ଦଳାଇ ଓ ମୁସା ଜାନ।
ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶର ଏକ ପଥର ଖଣିରେ ଚାଲିଥିବା ବ୍ଲାଷ୍ଟିଂ କାର୍ଯ୍ୟ ସମୟରେ ଏକ ଅଘଟଣ ଘଟିଥିଲା। ବିସ୍ଫୋରଣର ପ୍ରଚଣ୍ଡତା ଏତେ ଅଧିକ ଥିଲା ଯେ ଘଟଣାସ୍ଥଳରେ ହିଁ ୬ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି।
ପଥରଖଣିରେ ଦୁର୍ଘଟଣା ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣା ନେଇ ବିସ୍ତୃତ ସୂଚନା ଉପଲବ୍ଧ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁତରମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି।
ଆନ୍ଧ୍ରପ୍ରଦେଶ ପୁଲିସ କହିବା ଅନୁସାରେ ବାପଟାଲା ଜିଲ୍ଲା ବାଲିକୁରୁଭା ନିକଟ ସତ୍ୟକ୍ରିଷ୍ଣା ଗ୍ରାନାଇଟ କୁଆଁରିରେ ଆଜି ଶ୍ରମିକମାନେ କାମ କରୁଥିଲେ। ଏହି ସମୟରେ ଅସମୟରେ ବିସ୍ଫୋରଣ ଘଟିଥିଲା।
Powered by Froala Editor