ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବୋର୍ଡ ଉପସଭାପତି ଗିରଫ

କଟକ: ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କରାଯାଇଛି। ଘନ ଘନ ଜେରା କରାଯିବା ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି। ଗତକାଲି କ୍ରାଇମବ୍ରାଞ୍ଚ ନିହାର ରଞ୍ଜନ ମହାନ୍ତିଙ୍କୁ ୬ ଘଣ୍ଟା ଜେରା କରିଥିଲା। ପୂର୍ବରୁ ତାଙ୍କୁ କ୍ରାଇମବ୍ରାଞ୍ଚ ଦୁଇଥର ପଚରାଉଚରା କରିଥିବାବେଳେ ଶନିବାର ପୁଣି ଥରେ ଜେରା କରିଥିଲା । ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୨ଟା ଏବଂ ଅପରାହ୍ଣ ୩ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ତାଙ୍କୁ ଜେରା କରାଯାଇଥିଲା। ପରୀକ୍ଷା ପରିଚାଳନାରେ ତାଙ୍କର ଭୂମିକା, ତାଙ୍କ ଲାପ୍ଟପକୁ ପ୍ରଶ୍ନପତ୍ର କିଭଳି ଆସିଲା, ଲାପଟପ ପାସୱାର୍ଡ଼ଯୁକ୍ତ ଥିଲା କି ନାହିଁ ଏବଂ ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣାଙ୍କ ସହ ତାଙ୍କର ସମ୍ପର୍କ ଆଦି ବିଷୟରେ କ୍ରାଇମବ୍ରାଞ୍ଚ ପଚାରିଥିବା ଜଣାପଡ଼ିଛି। ଏହି ଘଟଣାରେ ସାକ୍ଷୀ ଭାବେ କୋରାପୁଟ ଜୟପୁର ଜେରକ୍ସ ଦୋକାନ ମାଲିକ ଶିବାନନ୍ଦ ମହାରଣାଙ୍କ ବୟାନ ରେକର୍ଡ଼ କରାଯାଇଛି। ଶିବାନନ୍ଦଙ୍କ ଦୋକାନକୁ କିଏ ପ୍ରଶ୍ନପତ୍ର ଆଣିଲା, ତାହା ହାତଲେଖା ଥିଲା ନା ମୂଳ
ପ୍ରଶ୍ନପତ୍ର ରହିଥିଲା ଏବଂ କେତେ ସଂଖ୍ୟାରେ ଛପାଯାଇଛି ଓ ଏ ବାବଦକୁ କେତେ ଟଙ୍କା ତାଙ୍କୁ ମିଳିଛି ତାହାର ସମସ୍ତ ତଥ୍ୟ ଶିବାନନ୍ଦ କଟକ ଜେଏମଏଫସି-୩ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ଦେଇଛନ୍ତି। ୩ ଦିନ ପୂର୍ବରୁ କ୍ରାଇମବ୍ରାଞ୍ଚ ତାଙ୍କୁ ଜୟପୁରରୁ ଉଠାଇ ଆଣି ଅଟକ ରଖି ପଚରାଉଚରା ପରେ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିବା ସହ ବୟାନ ରେକର୍ଡ କରାଇଥିଲେ। ତେବେ ଆଜି କ୍ରାଇମବ୍ରାଞ୍ଚ ବୋର୍ଡ ଉପସଭାପତିଙ୍କୁ ଗିରଫ କରିଛି।
Powered by Froala Editor