ସ୍କୁଲ ବ୍ୟାଗ ବୋଝ କମିବ, ନଚେତ୍ ସ୍କୁଲ୍ରେ ହେବ ଚଢ଼ଉ

ପାଠପଢ଼ା ଯେତିକି ନୁହେଁ । ବ୍ୟାଗର ବୋଝ ତାଠୁ ବଳିଯାଉଛି । ଯାହାକି କୁନି କୁନି ପିଲାଙ୍କ ଉପରେ ଅତିରିକ୍ତ ବୋଝ ବୋଲି କୁହାଯାଉଛି । ତେଣୁ ବୋଝ କମାଇବାକୁ ଭୁବନେଶ୍ବର ସମେତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକ ଅଧୀନ ସରକାରୀ, ଅନୁଦାନପ୍ରାପ୍ତ, ଘରୋଇ ବିଦ୍ୟାଳୟଗୁଡ଼ିକ ଯେପରି ନିୟମକୁ କଡ଼ାକଡ଼ି ପାଳନ କରନ୍ତି ସେଦିଗରେ ପଦକ୍ଷେପ ନେବେ। ୨୦୧୯ ମାର୍ଚ୍ଚ ୮ରେ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା ଦିଗରେ ସମସ୍ତ ବିଇଓ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବେ।
ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ନେତୃତ୍ବରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଓ ସିଆରସିସିମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ କମିଟି ଗଠନ କରାଯିବ। ଯେଉଁ କମିଟି ସ୍କୁଲ ବ୍ୟାଗ୍ ଓଜନ ତଦାରଖ ସହ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି), ସ୍କୁଲ ସୁରକ୍ଷା କମିଟି ଓ ବିଦ୍ୟାଳୟ ପରିଚାଳନା କମିଟି ଗଠନର ତଦାରଖ କରିବେ। ସମ୍ପୃକ୍ତ କମିଟି ପ୍ରତି ସପ୍ତାହରେ ଏସମ୍ପର୍କିତ ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ନିର୍ଦ୍ଦେଶାବଳୀ ଅନୁଯାୟୀ ସ୍କୁଲ ବ୍ୟାଗ୍ ଓଜନ ଯାଞ୍ଚ ଲାଗି ଜିଲ୍ଲାସ୍ତରରେ ସ୍କ୍ବାଡ୍ ଗଠନ କରାଯିବ। ଏହି ସ୍କ୍ବାଡ୍ ବିଭିନ୍ନ ସମୟରେ ସରକାରୀ ଓ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକୁ ଗସ୍ତ କରି ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍ର ଯାଞ୍ଚ କରିବେ।
ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ ୧.୫ କେଜିରୁ ଅଧିକ ହେବ ନାହିଁ। ୩ୟରୁ ୫ମ ଶ୍ରେଣୀ ପିଲାଙ୍କ ବ୍ୟାଗ୍ର ଓଜନ ୨ରୁ ୩ କେଜି ମଧ୍ୟରେ ରହିବ। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ହୋମୱାର୍କ ଦିଆଯିବ ନାହିଁ। ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ବ୍ୟାଗ୍ର ଓଜନ ୪ କେଜି, ୮ମ ଓ ୯ମ ପିଲାଙ୍କ ବ୍ୟାଗର ଓଜନ ସାଢ଼େ ୪ କେଜି ଓ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗର ଓଜନ ୫ କେଜିରୁ ଅଧିକ ହେବ ନାହିଁ ବୋଲି ନିର୍ଦ୍ଦେଶାବଳୀରେ ସ୍ପଷ୍ଟ ହୋଇଛି। ଯେଉଁ ସ୍କୁଲଗୁଡ଼ିକ ବିରୋଧରେ ଅଭିଯୋଗ ଆସିଛି, ତାହାକୁ ପ୍ରାଥମିକତା ଦେଇ ଯାଞ୍ଚ କରାଯିବ। ସିବିଏସ୍ଇ ଓ ଆଇସିଏସ୍ଇ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକୁ ଅଚାନକ ଚଢ଼ଉ କରିବେ।
Powered by Froala Editor