ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମଦାହ ଘଟଣା: ଭିନ୍ନ ଭିନ୍ନ ବୟାନକୁ ନେଇ ଅଡ଼ୁଆରେ କ୍ରାଇମ୍ବ୍ରାଞ୍ଚ

ବାଲେଶ୍ବର: ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମଦାହ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପାଇଁ ବଡ଼ ଆହ୍ବାନ ସୃଷ୍ଟି ହୋଇଛି। ସବୁ ଦିଗକୁ ନେଇ ତଦନ୍ତ କରିବା ସହ ଅଦ୍ୟାବଧି କ୍ରାଇମ୍ବ୍ରାଞ୍ଚ ଦଳ କଲେଜର ୮୦ ଜଣ ଛାତ୍ରଛାତ୍ରୀଙ୍କ ବୟାନ ରେକର୍ଡ କରିଛି। ପ୍ରସଙ୍ଗ ସମାନ ଥିବାବେଳେ ଛାତ୍ରଛାତ୍ରୀଙ୍କ ବୟାନ ଭିନ୍ନ ଭିନ୍ନ ରହୁଛି। ଛାତ୍ରଛାତ୍ରୀ ଅନ୍ୟ ତଦନ୍ତକାରୀ କମିଟି ସାମ୍ନାରେ ଯେଉଁ ବୟାନ ରଖିଛନ୍ତି ଓ କ୍ରାଇମବ୍ରାଞ୍ଚକୁ ଦେଇଥିବା ବୟାନରେ ତାଳମେଳ ରହୁନାହିଁ। ସମାନ ଛାତ୍ରଛାତ୍ରୀ ଭିନ୍ନ ଭିନ୍ନ କମିଟି ସାମ୍ନାରେ ଭିନ୍ନ ବୟାନ ଦେବାକୁ ନେଇ କ୍ରାଇମ୍ବ୍ରାଞ୍ଚ ଅଡ଼ୁଆରେ ପଡ଼ିଛି। ଏହି ଘଟଣା ଆଗକୁ କେଉଁ ମୋଡ଼ ନେବ ଓ ପୂରା ଘଟଣାର ପର୍ଦା ଫାସ୍ କରିବା କ୍ରାଇମ୍ବ୍ରାଞ୍ଚ ଲାଗି ଆହ୍ବାନ ହେବ। ଅନ୍ୟପକ୍ଷରେ ଆତ୍ମାହୁତି ବେଳେ ସୌମ୍ୟାଶ୍ରୀଙ୍କୁ ରକ୍ଷା କରିବାକୁ ଯାଇ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳ ସୁସ୍ଥ ହେବା ପରେ ଏବେ କଟକ ବଡ଼ ଡାକ୍ତରଖାନାରୁ ଘରକୁ ଯାଇଛନ୍ତି। କ୍ରାଇମ୍ବ୍ରାଞ୍ଚ ତାଙ୍କର ମଧ୍ୟ ବୟାନ ରେକର୍ଡ଼ କରିବାକୁ ଯାଉଛି।
ଗତ ୧୨ ତାରିଖରେ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମଦାହ ପରେ ସେଦିନ ବିଏଡ୍ ବିଭାଗର ମୁଖ୍ୟ ସମୀର କୁମାର ସାହୁ ଓ ୧୪ ତାରିଖରେ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲୀପ କୁମାର ଘୋଷଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣା ସହିତ ଜଡ଼ିତ ଆହୁରି ୩ଜଣ ଏବେ କ୍ରାଇମବ୍ରାଞ୍ଚ ସ୍କାନର୍ରେ ଅଛନ୍ତି। ୧୬ ତାରିଖରୁ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇଜି ଏସ୍. ସାଇନିଙ୍କ ନେତୃତ୍ୱରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚକୁ ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। କ୍ରାଇମବ୍ରାଞ୍ଚ କଲେଜ କ୍ୟାମ୍ପସ ଓ ପେଟ୍ରୋଲ୍ ପମ୍ପର ସମସ୍ତ ସିସିଟିଭି ଫୁଟେଜ୍ ସଂଗ୍ରହ କରି ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର (ଏସ୍ଏଫ୍ଏସ୍ଏଲ୍)କୁ ପଠାଯାଇଛି। ଏହାସହିତ ଜ୍ୟୋତିପ୍ରକାଶ ନିଜ ମୋବାଇଲ୍ରେ ରେକର୍ଡ କରିଥିବା ଅଧଘଣ୍ଟାର ଭିଡିଓ ମଧ୍ୟ ଏସ୍ଏଫ୍ଏସ୍ଏଲକୁ ପଠାଯାଇଛି।
ଆତ୍ମଦାହ ଘଟଣା ସହିତ ସିଧାସଳଖ ସମ୍ପର୍କ ରଖୁଥିବା ଛାତ୍ରୀ ସୌମ୍ୟାଶ୍ରୀଙ୍କ ଦୁଇ ବାନ୍ଧବୀ ଓ ଜ୍ୟୋତିପ୍ରକାଶଙ୍କୁ କ୍ରାଇମ୍ବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିଛି।
Powered by Froala Editor