୧୦ ମାସର ନୀତିକାକୁ "ରାଜ୍ୟର ସନ୍ତାନ" ଘୋଷଣା କଲେ ସରକାର
ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ଆସିଥିବା ବନ୍ୟାରେ ଏକ ୧୦ ମାସର ଶିଶୁ ଅନାଥ ହୋଇଯିବା ପରେ ସେହି ଶିଶୁକୁ ଆପଣେଇ ନେଇଛନ୍ତି ସରକାର। ମାତାପିତା ଓ ଜେଜେ ମା’ ଯିବା ପରେ ଏବେ ଏକା ହୋଇଯାଇଥିବା କୁନି ଝିଅକୁ 'ରାଜ୍ୟର ସନ୍ତାନ' ଘୋଷଣା କରିଛନ୍ତି ସରକାର । ହିମାଚଳର ମଣ୍ଡିରେ ଆକସ୍ମିକ ବନ୍ୟାରେ ବହିଯାଇ ପରିବାର ମୃତ୍ୟୁବରଣ କରିବା ପରେ ଏବେ ସାରା ରାଜ୍ୟର ଝିଅ ପାଲଟିଛି କୁନି ଝିଅ। ଶିଶୁଟିର ନାମ ହେଲା ନୀତିକା।
ତଲୱାଡ଼ା ଗାଁରେ ୩୦ ଜୁନ ଓ ୧ ଜୁଲାଇ ମଧ୍ୟରାତ୍ରିରେ ବାଦଲ ଫଟା ବର୍ଷା ହେବା ପରେ ହଠାତ୍ ବନ୍ୟା ହୋଇଥିଲା। ଏହି ବନ୍ୟାରେ ନୀତିକାର ପିତା ରମେଶ (୩୧)ଙ୍କର ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ମା’ ରାଧା ଦେବୀ (୨୪) ଏବଂ ଜେଜେମା’ ପୂର୍ଣ୍ଣୁ ଦେବୀ (୫୯) ଏବେ ବି ନିଖୋଜ ଅଛନ୍ତି। ବନ୍ୟା ପାଣି ଘରେ ପଶି ଯିବାରୁ ରମେଶ ଘରେ ପଶୁଥିବା ପାଣିକୁ ଅଟକାଇବା ପାଇଁ ବାହାରକୁ ଯାଇଥିଲେ। ତାଙ୍କ ପଛେ ପଛେ ତାଙ୍କ ପତ୍ନୀ ଓ ମା’ ମଧ୍ୟ ତାଙ୍କୁ ସାହାଯ୍ୟ କରିବା ପାଇଁ ଯାଇଥିଲେ, ହେଲେ କେହି ଫେରି ନ ଥିଲେ। ଏହା ପରେ ନୀତିକାଙ୍କୁ ଏକା କାନ୍ଦୁଥିବା ଅବସ୍ଥାରେ ଉଦ୍ଧାର କରିଥିଲେ ପଡୋଶୀ।
ରାଜସ୍ୱ ମନ୍ତ୍ରୀ ଜଗତ୍ ସିଂହ ନେଗି କହିଛନ୍ତି, "ରାଜ୍ୟ ସରକାର ଏକ ଦୀର୍ଘକାଳୀନ ଯୋଜନାର ଅଂଶ ଭାବରେ ଛୋଟ ଝିଅଟିର ଲାଳନପାଳନ, ଶିକ୍ଷା ଏବଂ ଭବିଷ୍ୟତର ସମ୍ପୂର୍ଣ୍ଣ ଦାୟିତ୍ୱ ନେବେ। ଏହି ଝିଅଟି ଭବିଷ୍ୟତରେ ଯାହା ହେବାକୁ ଚାହିଁବ; ଡାକ୍ତର, ଇଞ୍ଜିନିୟର କିମ୍ବା ଅଧିକାରୀ, ସରକାର ସମସ୍ତ ଖର୍ଚ୍ଚ ବହନ କରିବ।"
Powered by Froala Editor