ଭିଜିଲାନ୍ସ ଜାଲରେ DFO, ରଖିଛନ୍ତି ୧୧୫ଟି ପ୍ଲଟ୍
ଓଡ଼ିଶା ଭିଜିଲାନ୍ସ ଦ୍ୱାରା ରବିବାର କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ) ନିତ୍ୟାନନ୍ଦ ନାୟକଙ୍କ ବିରୋଧରେ ଆୟ ବହିର୍ଭୁତ୍ତ ସମ୍ପତ୍ତି (DA) ଅଭିଯୋଗରେ ଅନୁସନ୍ଧାନ ଆରମ୍ଭ ହୋଇଛି। ତ୍ୟାନନ୍ଦ ନାୟକଙ୍କର ୧୧୫ଟି ପ୍ଲଟ୍ ଠାବ ହୋଇଛି। ଭିଜିଲାନ୍ସ ପକ୍ଷରୁ କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଡିଏଫ୍ଓଙ୍କର ଅନୁଗୁଳ, କେନ୍ଦୁଝର ଓ ନୟାଗଡ଼ରେ ୭ଟି ଠିକଣାରେ ଏହି ପ୍ଲଟ୍ଗୁଡ଼ିକ ଠାବ ହୋଇଛି।
ଭିଜିଲାନ୍ସ ଚଢ଼ାଉ ସମୟରେ ଜଣାପଡ଼ିଛି ଯେ, ନିତ୍ୟାନନ୍ଦ ନାୟକଙ୍କ ନାମରେ ୫୩ଟି, ତାଙ୍କ ପତ୍ନୀଙ୍କ ନାମରେ ୪୨ଟି, ଦୁଇ ପୁଅଙ୍କ ନାମରେ ୧୬ଟି ଏବଂ ଝିଅଙ୍କ ନାମରେ ୪ଟି ପ୍ଲଟ୍ ରହିଛି। ଏହା ସହ, ଅନୁଗୁଳ ତୁରଙ୍ଗାରେ ୯ ହଜାର ବର୍ଗଫୁଟର ଏକ ଚାରି ମହଲା କୋଠା ମଧ୍ୟ ଠାବ ହୋଇଛି। ତଦନ୍ତ ସମୟରେ ୧ ଲକ୍ଷ ୧୯ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି।
ଏହି ଅଭିଯାନ ଭିଜିଲାନ୍ସର ୩ ଜଣ ଡିଏସପି, ୧୦ ଜଣ ଇନସ୍ପେକ୍ଟର ଏବଂ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀଙ୍କ ଦ୍ୱାରା କେନ୍ଦୁଝର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଚାଲିଛି।
ସୂଚନାଯୋଗ୍ୟ, ନିତ୍ୟାନନ୍ଦ ନାୟକ ୧୯୯୨ ଅପ୍ରେଲ ୫ ତାରିଖରେ ଫରେଷ୍ଟ ରେଞ୍ଜର ଭାବେ ସରକାରୀ ଚାକିରି ଜୀବନ ଆରମ୍ଭ କରିଥିଲେ। ଅନୁଗୁଳସ୍ଥିତ ଏଫ୍ଆରସିରେ ତାଲିମ ଶେଷ କରି ସୁନ୍ଦରଗଡ଼ ଫରେଷ୍ଟ ଡିଭିଜନ ଅଧୀନ ହେମଗିରି ରେଞ୍ଜରେ ରେଞ୍ଜ ଅଧିକାରୀ ଭାବେ ଅବସ୍ଥାପିତ ହୋଇଥିଲେ। ଏହା ପରେ ସେ ୧୯୯୨ ଅକ୍ଟୋବର ୧୫ରୁ ୨୦୧୫ ମେ ୨୭ ପର୍ଯ୍ୟନ୍ତ ଫରେଷ୍ଟ ରେଞ୍ଜର ଭାବେ ସମ୍ବଲପୁର, ଢେଙ୍କାନାଳ, ସୁବର୍ଣ୍ଣପୁର ଓ ନୂଆପଡ଼ା ଜିଲ୍ଲାର ଭିନ୍ନଭିନ୍ନ ରେଞ୍ଜରେ କାମ କରିଥିଲେ।
ସେ ଓଡ଼ିଶା ବନ୍ୟ ସେବା (ଓଏଫ୍ଏସ୍)କୁ ପଦୋନ୍ନତି ପାଇ ୨୦୧୫ ମେ ୨୭ରେ ଖରିଆର ଡିଭିଜନର ଏସିଏଫ୍ ହୋଇଥିଲେ। ୨୦୧୭ ସେପ୍ଟେମ୍ବର ୬ରୁ ୨୦୨୨ ଅଗଷ୍ଟ ୩୦ ଯାଏଁ ରାୟଗଡ଼ା ଫରେଷ୍ଟ ଡିଭିଜନର ଏସିଏଫ୍ ଥିଲେ। ଏହା ପରେ ୨୦୨୨ ସେପ୍ଟେମ୍ବର ୭ରେ ପଦୋନ୍ନତି ପାଇଁ ଅତିରିକ୍ତ ବନ୍ୟ ସଂରକ୍ଷକ ହୋଇଥିଲେ। ଭୁବନେଶ୍ବର ପିସିସିଏଫ (ବନ୍ୟପ୍ରାଣୀ) କାର୍ଯ୍ୟାଳୟରେ ୨୦୨୨ ଅଗଷ୍ଟ ୩୧ରେ ଯୋଗ ଦେଇଥିଲେ। ଏହା ପରେ ସେ ପୁଣି ଥରେ ୨୦୨୪ରେ ପଦୋନ୍ନତି ପାଇଁ କେନ୍ଦୁଝର କେନ୍ଦୁପତ୍ର ଡିଭିଜନରେ ଡିଏଫ୍ଓ ହୋଇଥିଲେ।
Powered by Froala Editor