ପ୍ରଫେସର ନିର୍ଯାତନା ସହି ନ ପାରି ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା
ଗ୍ରେଟର ନୋଏଡାର ନଲେଜ ପାର୍କ ଥାନା ଅଞ୍ଚଳରେ ଥିବା ଶାରଦା ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା କରିଥିଲେ। ଶନିବାର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପହଞ୍ଚି ଛାତ୍ରୀଙ୍କ ପରିବାର ଏଚଓଡି, ଡିନ, ପ୍ରଫେସରଙ୍କ ସମେତ ୭ ଜଣଙ୍କ ବିରୋଧରେ ନିର୍ଯାତନା, ଅସଦାଚରଣ ଏବଂ ଧମକ ଦେବା ଅଭିଯୋଗରେ ଏକ ଏଫଆଇଆର ରୁଜୁ କରିଛନ୍ତି।
ଗ୍ରେଟର ନଏଡାର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଜ୍ୟୋତି ଶର୍ମା ନାମ୍ନୀ ଛାତ୍ରୀ ଦ୍ୱିତୀୟ ବର୍ଷରେ ପଢୁଥିଲେ । ଜଣେ ଡାକ୍ତର ହେବା ସ୍ୱପ୍ନ ଦେଖି ବିଡିଏସ (ବ୍ୟାଚେଲର ଅଫ ଡେଣ୍ଟାଲ ସର୍ଜରୀ)ରେ ସେ ଗତ ବର୍ଷ ଆଡମିଶନ ନେଇଥିଲେ । ଗତ ରାତିରେ ସେ ତାଙ୍କ ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଘର ଗୁରୁଗ୍ରାମରେ । ଏହି ଆତ୍ମହତ୍ୟା ପାଇଁ ସେ ତାଙ୍କର ଦୁଇ ଜଣ ପ୍ରଫେସର ଓ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ଦାୟୀ କରିଛନ୍ତି । ପୋଲିସ ଏହି ମାମଲାରେ ଦୁଇ ପ୍ରଫେସରଙ୍କୁ ଅଟକ ରଖିଛି।
ଅତିରିକ୍ତ ପୋଲିସ ଡେପୁଟି କମିଶନର ସୁଧୀର କୁମାର କହିଛନ୍ତି ଯେ ନଲେଜ ପାର୍କ ଥାନା ଅଞ୍ଚଳରେ ଥିବା ଶାରଦା ବିଶ୍ୱବିଦ୍ୟାଳୟର ବିଡିଏସ ଦ୍ୱିତୀୟ ବର୍ଷର ଛାତ୍ରୀ ଜ୍ୟୋତି ଶର୍ମା ତାଙ୍କ ହଷ୍ଟେଲ ରୁମରେ ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ କହିଛନ୍ତି ଯେ ଘଟଣା ବିଷୟରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନିଜ କବଜାକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହି ଘଟଣା ପରେ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ଏହି କାରଣରୁ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଛି।
Powered by Froala Editor