ଅଡୁଆରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଭୂମିକା

ଭୁବନେଶ୍ୱର: ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଭୂମିକାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ସାଂସଦଙ୍କ ଭୂମିକାକୁ ନେଇ ମୃତ ଛାତ୍ରୀଙ୍କ ପରିବାର, ସାଙ୍ଗସାଥୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳର ନେତାମାନେ ପ୍ରଶ୍ନ କରୁଛନ୍ତି। ଏପରିକି ମୃତ ଛାତ୍ରୀଙ୍କ ପିତା ଓ ବନ୍ଧୁମାନେ କହିଛନ୍ତି ସାଂସଦ ଠିକ୍ ସମୟରେ ହସ୍ତକ୍ଷେପ କରିଥିଲେ ସେ ବଞ୍ଚିଯାଇ ପାରିଥାନ୍ତେ। ଏହି ଘଟଣାରେ ସାମାଜିକ ଗଣମାଧ୍ୟମରେ ସାଂସଦଙ୍କ ଭୂମିକା ଏବେ ସମାଲୋଚନାର ବିଷୟ ପାଲଟିଛି।
ସୌମ୍ୟାଶ୍ରୀ ନ୍ୟାୟ ପାଇଁ ପ୍ରଥମେ ବିଜେପି ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କ ଦ୍ବାରସ୍ଥ ହୋଇଥିଲେ। ଗୋଟି ଗୋଟି କରି ସବୁ କଥା ଜଣାଇଥିଲେ। ସେ ନିଜେ ଏବିଭିପିର କର୍ମକର୍ତ୍ତା ହୋଇଥିବାରୁ ସାଂସଦଙ୍କଠାରୁ ନ୍ୟାୟ ଆଶା ରଖିଥିଲେ। ଏହି ପ୍ରସଙ୍ଗରେ ଶ୍ରୀ ଷଡ଼ଙ୍ଗୀ ଫୋନ୍ କରି ଅଧ୍ୟକ୍ଷଙ୍କ ସହ କଥା ହୋଇଥିଲେ। କିନ୍ତୁ ଥରେ କଥା ହୋଇ ପରବର୍ତ୍ତୀ ସମୟରେ ଏହାକୁ ଆଉ ଗୁରୁତ୍ବ ଦେଇନଥିଲେ। ଛୋଟ ଛୋଟ ଘଟଣାରେ ହସ୍ତକ୍ଷେପ ପାଇଁ ବେଶ୍ ଜଣାଶୁଣା ଶ୍ରୀ ଷଡ଼ଙ୍ଗୀ କିନ୍ତୁ ସୌମ୍ୟାଶ୍ରୀଙ୍କ କ୍ଷେତ୍ରରେ ଥରେ ମାତ୍ର ଫୋନ୍ କରି ନିଜ ଦାୟିତ୍ବ ସାରିଦେବା ସହ ଚୁପ୍ ବସିଥିଲେ। ତାଙ୍କର ଏହି କାର୍ଯ୍ୟଶୈଳୀକୁ ନେଇ ଏବେ ସବୁସ୍ତରରେ ସମାଲୋଚନା ହେଉଛି। ଛାତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ପିତା ସାକ୍ଷାତକାରରେ ଗଣମାଧ୍ୟମକୁ କହିଥିଲେ ଯେ ମୋ ଝିଅ ସାଂସଦଙ୍କ ପାଖକୁ ନ୍ୟାୟ ଆଶାରେ ଯାଇଥିଲା। ସେତେବେଳେ ଯଦି ସାଂସଦ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜବାବ୍ ତଲବ କରିଥାନ୍ତେ ତାହେଲେ ଉଚିତ ବିଚାର କରି ନ୍ୟାୟ ଦେବା ପାଇଁ ଠୋସ୍ ପଦକ୍ଷେପ ନିଆଯାଇ ପାରିଥାନ୍ତା। ଏତକ ହୋଇଥିଲେ ତାଙ୍କ ଝିଅ ଆଜି ଜୀବିତ ଥାନ୍ତା ବୋଲି କ୍ଷୋଭର ସହ ସେ କହିଛନ୍ତି। ସୌମ୍ୟାଶ୍ରୀଙ୍କ ସାଥୀମାନେ ମଧ୍ୟ ଅନୁରୂପ ଅଭିଯୋଗ ଆଣିଛନ୍ତି। ସାଧାରଣତଃ ଜନତା ନିଜ ନିଜର ସମସ୍ୟା ନେଇ ସ୍ଥାନୀୟ ଜନ ପ୍ରତିନିଧିଙ୍କ ପାଖକୁ ଯାଇଥାନ୍ତି। ଆମ ସାଂସଦ ଜଣେ ପ୍ରଭାବଶାଳୀ ବିଜେପି ନେତା। ମୃତ ଛାତ୍ରୀ ଏବିଭିପିର ଜଣେ ସକ୍ରିୟ ସଦସ୍ୟ ଥିଲେ। ଆମେ ନିଶ୍ଚିତ ଥିଲୁ ଯେ ସୌମ୍ୟାଶ୍ରୀ ସାଂସଦଙ୍କ ନିକଟରେ ଅଭିଯୋଗ କରିଥିବାରୁ ସେ ଏଥିରେ ହସ୍ତକ୍ଷେପ କରି ନ୍ୟାୟ ପ୍ରଦାନ କରିବେ। କ୍ରମାଗତ ଭାବେ ମାନସିକ ତଥା ଯୌନ ନିର୍ଯାତନାର ଶିକାର ହେଉଥିବା ଜଣେ ନିରୀହା ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇବେ। କିନ୍ତୁ ସେ କେବଳ ଅଧ୍ୟକ୍ଷଙ୍କ ସହ ଥରେ ଫୋନ୍ରେ କଥା ହୋଇ ନିଜ କର୍ତ୍ତବ୍ୟ ସାରିଦେଲେ। ଆଇସିସି ରିପୋର୍ଟ ଠିକ୍ ନଥିଲା ବୋଲି ସ୍ବୀକାର କରୁଛନ୍ତି, କିନ୍ତୁ ତା’ର ପ୍ରତିବାଦ କରି ନ୍ୟାୟସଙ୍ଗତ ଶୁଣାଣି ପାଇଁ କୌଣସି ପଦକ୍ଷେପ ନେଲେ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଘଟଣା ପରଠାରୁ ସାଂସଦ ଶ୍ରୀ ଷଡ଼ଙ୍ଗୀ ଗଣମାଧ୍ୟମରେ ଏହାକୁ ନେଇ ଅନେକ ଥର ବିବୃତ୍ତି ରଖିଲେଣି। କିନ୍ତୁ ସବୁଥର ନିଜ ଦାୟିତ୍ବରେ ଅବହେଳା ପ୍ରସଙ୍ଗକୁ ଏଡ଼ାଇ ଯାଇଥିବା ଦେଖା ଯାଉଛି। ଆଇସିସି ରିପୋର୍ଟ ଏକ ପାଖିଆ ଥିଲା ବୋଲି ସାଂସଦ ନିଜେ ସ୍ବୀକାର କରିଥିଲେ ସୁଦ୍ଧା କିପରି ଉଚିତ ବିଚାର କରାଯାଇ ପୀଡ଼ିତାଙ୍କୁ ନ୍ୟାୟ ମିଳିବ ତା’ ଉପରେ କିଛି ସ୍ପଷ୍ଟ କରିପାରି ନାହାନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଶୁଣାଣିରେ ତ୍ରୁଟି ରହିଛି ଏବଂ ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ମିଳିନାହିଁ।
ଏ ସମ୍ପର୍କରେ ସାଂସଦ ଶ୍ରୀ ଷଡ଼ଙ୍ଗୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ନିଜ ନିକିତିରେ ଦୁନିଆକୁ ମାପୁଥିବା ବ୍ୟକ୍ତି, ନିଷ୍ଠାପର ଭାବେ କାର୍ଯ୍ୟ କରୁଥିବା ନେତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିବା ଦୁର୍ଭାଗ୍ୟର ବିଷୟ। ଯେଉଁମାନେ ଏଭଳି ଅଭିଯୋଗ ଉଠାଉଛନ୍ତି ଓଡ଼ିଶାବାସୀ ସେମାନଙ୍କୁ କେବେ କ୍ଷମା କରିବେନି। ମୋର ଦାୟିତ୍ବହୀନତା ହୋଇଛି ବୋଲି ମୁଁ କେବେ ଭାବୁନି। ଅତି କମ୍ ସମୟରେ ଅଭିଯୁକ୍ତଙ୍କ ବିରୋଧରେ ଏବର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ରାଜ୍ୟର ପ୍ରଥମ ବୋଲି ସେ ମତ ଦେଇଛନ୍ତି।
Powered by Froala Editor