ଆଜି ଓଡ଼ିଶା ବନ୍ଦ, ଚାଲିଛି ନ୍ୟାୟର ଲଢେଇ

ଭୁବନେଶ୍ବର: ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଓ ମୃତ୍ୟୁ ଘଟଣାରେ ସବୁଠି ଉଠିଛି ନ୍ୟାୟ ପ୍ରଦାନର ସ୍ୱର । ରାଜ୍ୟରେ ବିରୋଧୀ ଦଳ ଗୁଡିକ ସରକାରଙ୍କୁ ଏନେଇ ଘେରିଥିବା ବେଳେ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ପୀଡିତାଙ୍କୁ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ଅଖ, ଚକ ବନ୍ଦ କରିଛି କଂଗ୍ରେସ । ଏଥିରେ ୮ଟି ରାଜନୈତିକ ଦଳ ମଧ୍ୟ ସାମିଲ ହୋଇଛନ୍ତି । ଓଡ଼ିଶା ବନ୍ଦ ଡାକରାରେ ସକାଳୁ ସକାଳୁ ରାଜଧାନୀରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ, ବଜାର, ସମସ୍ତ କାର୍ଯ୍ୟାଳୟ, ସ୍କୁଲ, କଲେଜ ସବୁ ବନ୍ଦ ରହିଛି । ରାଜଧାନୀ ସମତେ ସବୁ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରିବାକୁ କଂଗ୍ରେସ ଆହ୍ୱାନ ଦେଇଛି ।
ଦୈତନଗରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଧାନସଭା ଅଞ୍ଚଳ, ରେଳଷ୍ଟେସନରେ ପୁଲିସ ମୁତୟନ ହୋଇଥିବା ବେଳେ କଂଗ୍ରେସ କର୍ମୀମାନେ ନାରାବାଜି କରି ରାସ୍ତା ଅବରୋଧ କରିଛନ୍ତି । ମାଷ୍ଟରକ୍ୟାଣ୍ଟିନ୍ ଛକରେ ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେପଟେ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଆଜି ସମଗ୍ର ରାଜ୍ୟରେ ବନ୍ଦ ପାଳନ କରାଯାଉଛି । ଏହା ନ୍ୟାୟର ଲଢେଇ । ନ୍ୟାୟ ଦିଅ, ଆମେ ବନ୍ଦ ପ୍ରତ୍ୟାହାର କରିନେବୁ । ଲୋକେ ସ୍ୱତଃପ୍ରବୃତ ଭାବରେ ବନ୍ଦକୁ ସମର୍ଥନ କରୁଛନ୍ତି ।
Powered by Froala Editor