ବୈତରଣୀରେ ବୃଦ୍ଧି ପାଇବାରେ ଲାଗିଛି ଜଳସ୍ତର
ଆରଡି : ଉପରମୁଣ୍ଡରେ ଲଗାଣ ବର୍ଷାରେ ତଳ ମୁଣ୍ଡରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବୈତରଣୀ ନଦୀରେ ଆସିଥିବା ପ୍ରଥମ ବନ୍ୟାପାଣିରେ ଆରଡି ଅଞ୍ଚଳ ସମେତ ୪ଟି ପଞ୍ଚାୟତ ଓଳଗ, ସୁନ୍ଦରପୁର, ନାନ୍ଦପୁର ପଞ୍ଚାୟତର ତଳିଆ ଅଞ୍ଚଳରେ ଶହଶହ ହେକ୍ଟର ଚାଷଜମିକୁ ମାଡିବାରେ ଲାଗିଛି ବନ୍ୟାପାଣି। ଉପରମୁଣ୍ଡରୁ ଆସୁଥିବା ବନ୍ୟାପାଣି ଓ ଧାମରା ମୁହାଣ ସମୁଦ୍ରରୁ ଆସୁଥିବା ଜୁଆର ପାଣିରେ ବୈତରଣୀ ଉଛୁଳିବାରେ ଲାଗିଛି। ଫଳରେ ବନ୍ୟାପାଣିରେ ବୁଡିଯାଇଛି ସାରଦ ଧାନତଳି। ଆଗକୁ ପୂର୍ଣ୍ଣିମା ତିଥି ଥିବାରୁ ପାଣି ଆହୁରି ବଢିବ ବୋଲି ଚାଷୀ କହିଛନ୍ତି। ଏପଟେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ କ୍ଷେତରେ ଉଜୁଡିଯିବ ଧାନତଳି। ସେପଟେ ସାଳନ୍ଦୀ ନଦୀ ମଧ୍ୟ ଉଛୁଳୁଛିବାରେ ଲାଗିଛି। ଉଭୟ ବୈତରଣୀ ଓ ସାଳନ୍ଦୀ ନଦୀ ଉଛୁଳୁଥିବାରୁ ନଦୀ ମଧ୍ୟକୁ ମାଛ ମାରିବା ପାଇଁ ଯାଇଥିବା ଡଙ୍ଗା କୂଳରେ ଲଂଗର ପକାଇଛି।
Powered by Froala Editor