ଯିବା ପୂର୍ବରୁ ଶୁଭାଂଶୁ ଦେଲେ ଇମୋସନାଲ ବାର୍ତ୍ତା, ଶୁଭ ମନାସିଲେ ପରିବାର

ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଆକ୍ସିଅମ-୪ ମିଶନରେ ଯାଇଛନ୍ତି। ଶୁଭାଂଶୁଙ୍କୁ ନେଇ ତାଙ୍କ ପରିବାର ଖୁବ ଖୁସି ପ୍ରକାଶ କରିଛନ୍ତି। ଏହି ସମୟରେ ଶୁଭାଂଶୁ ମହାକାଶକୁ ଯିବା ପୂର୍ବରୁ ତାଙ୍କ ପତ୍ନୀ କାମନା ଶୁକ୍ଲାଙ୍କ ପାଇଁ ଏକ ସ୍ବତନ୍ତ୍ର ବାର୍ତ୍ତା ଲେଖିଛନ୍ତି। ସେ ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରିଛନ୍ତି ଏବଂ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।
ଶୁଭାଂଶୁ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଲେଖିଛନ୍ତି, ମୁଁ ମିଶନରେ ସାମିଲ ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଉଛି। ଘରେ ଥିବା ସମସ୍ତ ଲୋକଙ୍କୁ ସେମାନଙ୍କ ଭଲ ପାଇବା ଏବଂ ଆଶୀର୍ବାଦ ପାଇଁ ମଧ୍ୟ ଧନ୍ୟବାଦ।
ଜଣେ ମହାନ ସାଥୀ ହେବା ପାଇଁ କାମନା (ସ୍ତ୍ରୀ)ଙ୍କୁ ମୁଁ ବିଶେଷ ଧନ୍ୟବାଦ ଜଣାଉଛି। କୌଣସି ବ୍ୟକ୍ତି ଏକା ମହାକାଶ ଯାତ୍ରା କରନ୍ତି ନାହିଁ। ଏହି ଯାତ୍ରା ପାଇଁ ଆମ ପାଖରେ ଅନେକ ଲୋକଙ୍କ ସାହାଯ୍ୟ ଓ ସମର୍ଥନ ରହିଥାଏ। ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ। ଧନ୍ୟବାଦ।’
ଶୁଭାଂଶୁ ଶୁକ୍ଲାଙ୍କ ପରିବାରରେ ଖୁସିର ପରିବେଶ ରହିଛି। ଶୁଭାଂଶୁ ଶୁକ୍ଳାଙ୍କ ମାଆ କହିଛନ୍ତି, "ଆଜି ମୁଁ ବହୁତ ଖୁସି। ମୁଁ ମୋର ଖୁସିକୁ ଶବ୍ଦରେ ପ୍ରକାଶ କରିପାରିବି ନାହିଁ। ଆମେ ସମସ୍ତେ ଏହି ମୁହୂର୍ତ୍ତକୁ ଉତ୍ସାହର ସହିତ ଅପେକ୍ଷା କରିଥିଲୁ। ମୋ ପିଲା ମହାକାଶ ଅଭିମୁଖେ ଉଡ଼ୁଛି। ଆପଣମାନେ ତା୍ର ମିଶନର ସଫଳତା ପାଇଁ ପ୍ରାର୍ଥନା କରନ୍ତୁ।’
ଶୁଭାଂଶୁ ଶୁକ୍ଳାଙ୍କ ଭଉଣୀ ଶୁଚି ମିଶ୍ର ମଧ୍ୟ ତାଙ୍କ ଭାଇର ସଫଳତାରେ ଖୁସି ବ୍ୟକ୍ତ କରି କହିଛନ୍ତି, ‘ଭଗବାନଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା ସେ ଯେଉଁ ମିଶନରେ ଯାଇଛି, ଭଗବାନ ତାକୁ ଏଥିରେ ସଫଳତା ଦିଅନ୍ତୁ।
ଶୁଭାଂଶୁଙ୍କ ବାପା ପୁଅର ସଫଳତାକୁ ନେଇ କହିଛନ୍ତି, "ମୁଁ ମୋ ପିଲାର ଶୁଭକାମନା କରୁଛି। ଆଜି ମୋ ପିଲା ଏକ ମିଶନରେ ଯାଉଛି। ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସେ ଯେଉଁ ମିଶନ ନେଇ ଯାଉଛି ତାହାକୁ ସଫଳତାର ସହ ପୂରଣ କରୁ।’
Powered by Froala Editor