ଉତ୍ତର ବାଲେଶ୍ବରରେ ବନ୍ୟା: ବାଲିଆପାଳ ବ୍ଲକରେ ୧୦ଟି ପଞ୍ଚାୟତ କ୍ଷତିଗ୍ରସ୍ତ
ବାଲେଶ୍ବର: ଓଡ଼ିଶାରେ ସେଭଳି ବଡ଼ ବର୍ଷା ନାହିଁ। ମାତ୍ର ପଡୋଶୀ ଝାଡ଼ଖଣ୍ଡ ପାଣି ଛାଡ଼ିଦେବାରୁ ଉତ୍ତର ବାଲେଶ୍ବରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଝାଡ଼ଖଣ୍ଡର ଚାନ୍ଦିଲି ବନ୍ଧ ଫାଟକ ଖୋଲି ଦିଆଯିବା ଓ ଗାଲୁଡିହି ବ୍ୟାେରଜରୁ ହଠାତ ପାଣି ଛଡ଼ା ଯିବାରୁ ଏଭଳି ବନ୍ୟା ସୃଷ୍ଟି ହୋଇଛି। ଝାଡ଼ଖଣ୍ଡ ଗାଲୁଡ଼ିହିରୁ ଉଦବୃତ୍ତ ବର୍ଷାପାଣି ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ ଜଳେଶ୍ୱର, ବସ୍ତା, ବାଲିଆପାଳ ଓ ଭୋଗରାଇ ବ୍ଲକରେ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପାଣିରେ ସୁବର୍ଣ୍ଣରେଖା ଉଛୁଳି ପଡ଼ିବା ସହ ଜିଲାର ବସ୍ତା, ବାଲିଆପାଳ, ଜଳେଶ୍ବର ଓ ଭୋଗରାଇ ଆଦି ୪ଟି ବ୍ଲକରେ ୩୦ ପଞ୍ଚାୟତର ୧୩୫ ଗାଁ ପ୍ରଭାବିତ ହୋଇଛି। ବନ୍ୟା ପାଣିରେ ଜଣେ ଯୁବକ ଭାସିଯାଇ ନିଖୋଜ ଥିବା ଜଣାପଡ଼ିଛି। ନିଖୋଜ ଯୁବକ ଜଣକ ଭୋଗରାଇ ବ୍ଲକ୍ କୁମ୍ଭୀରଗଡ଼ି ପଞ୍ଚାୟତର କୁହ୍ଲା ଗାଁର ନବ ପିଳାଙ୍କ ପୁଅ ମହେଶ୍ବର ପିଳା (୨୪) ବୋଲି ଜଣାପଡିଛି। ମହେଶ୍ବର ଜାମକୁଣ୍ଡା ବ୍ଳକ୍ରୁ ସଉଦା ନେଇ ଘରକୁ ଫେରୁଥିବାବେଳେ କୁହ୍ଲାଚଡ ଖାଲରେ ଗଳି ପଡି ବନ୍ୟା ଜଳରେ ଭାସି ଯାଇଥିଲେ। ତାଙ୍କୁ ଖୋଜିବା ଲାଗି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ସୁବର୍ଣ୍ଣରେଖା ନଦୀର ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା ନଦୀ ଜଳ ୧୦.୬୦ ମିଟର ଉପରେ ପ୍ରଭାବିତ ହେଉଥିବା ସୂଚନା ମିଳିଛି। ସରକାରୀ ଭାବେ ଉପରୋକ୍ତ ବ୍ଲକରେ ସମୁଦାୟ ୨୧ଟି ପଞ୍ଚାୟତର ୬୧ ଗାଁ ପ୍ରଭାବିତ ହୋଇଥିବା ସୂଚନା ଦିଆଯାଇଛି।
ସୂଚନା ଅନୁସାରେ ବନ୍ୟା ପାଣିରେ ବାଲିଆପାଳ ବ୍ଲକରେ ୧୦ଟି ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଛି। କୁମ୍ଭାରୀ, ନିଖିରା, ଘଣ୍ଟୁଆ, ଅସ୍ତି, ବାଲିଆପାଳ, ମଧୁପୁରା, ବିଷ୍ଣୁପୁର, ଜାମକୁଣ୍ଡା, ଶ୍ରୀରାମପୁର, ଦେଭୋଗ ଆଦି ପଞ୍ଚାୟତରେ ୫୦ ଖଣ୍ଡ ଗାଁର ଲୋକେ ପ୍ରଭାବିତ ହୋଇଛନ୍ତି। ୧୦ ହଜାରରୁ ଅଧିକ ଘର ପାଣି ଘେରରେ ରହିଛି। ବାଲିଆପାଳ ବ୍ଲକରେ ପରିବା କ୍ଷେତ ସମ୍ପୂର୍ଣ୍ଣ ପାଣିରେ ବୁଡ଼ି ରହିଛି। ପ୍ରାୟ ୨ ଶହ ହେକ୍ଟର ପରିବା ଚାଷ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।
ସେହିପରି ବସ୍ତା ବ୍ଲକରେ ୭ଟି ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି। ସନ୍ତୋଷପୁର, ଭେଲୋରା, ରଘୁନାଥପୁର, ପାଉଁଶକୁଲି, କୋରୁଆ, ଚୁରମରା, ତାଡ଼ଦା ଆଦି ପଞ୍ଚାୟତରେ ୪୦ ଖଣ୍ଡ ଗାଁର ୧୫ ହଜାରରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଠାରେ ଦେଢ଼ ହଜାର ଏକର ଜମିରେ ପରିବା ଚାଷ ନଷ୍ଟ ହୋଇଛି। ଶହେ ଏକର ଜମିର ଧାନ ତଳିରେ ପାଣି ପଶିଯାଇଛି ।
ସେହିଭଳି ଭୋଗରାଇ ବ୍ଲକର ୮ଟି ପଞ୍ଚାୟତରେ ବନ୍ୟା ପାଣି ଲହଡ଼ି ଭାଙ୍ଗୁଛି। ଆରୁହାବୃତ୍ତି-୧, ଖରିଦପିପଳ, ନାଚିନ୍ଦା, ଗବଗାଁ, କୁଶୁଡ଼ା, ପୁଟିଣା, କୁମ୍ଭୀରଗଡ଼ି, ଜୟରାମପୁର ଆଦି ପଞ୍ଚାୟତରେ ୨୫ ଗାଁ ବନ୍ୟା ଜଳରେ ପ୍ରଭାବିତ ହୋଇଛି।
ସେହିପରି ଜଳେଶ୍ବର ବ୍ଲକର ୫ଟି ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି। ରାୟାଁରାମଚନ୍ଦ୍ରପୁର, ମହମ୍ମଦନଗର ପାଟଣା, ପଶ୍ଚିମବାଡ଼, ପାଇକସିଦା ଓ ଗଡ଼ିସାହି ଆଦି ପଞ୍ଚାୟତର ୨୦ ଖଣ୍ଡ ଗାଁର ଲୋକେ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି। ଆଜି ବନ୍ୟା ପ୍ରଭାବିତଙ୍କ ନିକଟରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଅନ୍ୟ ବିଜେପି ନେତୃବୃନ୍ଦ ଏବଂ ବସ୍ତା ବିଧାୟିକା ସୁବାସିନୀ ଜେନା ପହଞ୍ଚି ସହାୟତା ଯୋଗାଇ ଦେଇଛନ୍ତି। ସରକାରୀ ରିଲିଫ ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।
Powered by Froala Editor