କାହିଁକି ବ୍ୟାପୁଛି ସଂକ୍ରମଣ : ବୈଜ୍ଞାନିକ କହିଲେ କାରଣ
ନୂଆଦିଲ୍ଲୀ : ବିଶ୍ୱବ୍ୟାପୀ କରୋନା ମହାମାରୀର ପ୍ରକୋପ ଜାରି ରହିଛି । ବ୍ୟାପକ ସତର୍କତା ପଦକ୍ଷେପ ଏବଂ ଟିକାକରଣ ସତ୍ତ୍ୱେ ସଂକ୍ରମଣ ଯେଭଳି ଥମିବା କଥା ତାହା ହେଉନାହିଁ । ସଂକ୍ରମଣ ନ କମିବାର ସ୍ପଷ୍ଟ ପ୍ରମାଣ ରହିଛି । ଡେଲଟା ପ୍ରଜାତି ବ୍ୟାପିବା ସାଙ୍ଗକୁ ଟିକାକରଣ ମନ୍ଥର ହେବାରୁ ବିଶ୍ୱବ୍ୟାପୀ ସଂକ୍ରମଣ ବଢ଼ିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ କହିଛନ୍ତି । ଗତ ୨ ସପ୍ତାହରେ ଆଫ୍ରିକାରେ ମୃତୁ୍ୟହାର ୩୦-୪୦ ପ୍ରତିଶତ ବୃଦ୍ଧି ହୋଇଛି । ବିଶ୍ୱରେ ଗତକାଲି ୨୪ ଘଣ୍ଟାରେ ପ୍ରାୟ ୫ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୯,୩୦୦ କରୋନା ମୃତୁ୍ୟ ହୋଇଛି । ସ୍ୱାମୀନାଥନ କରୋନା ସଂକ୍ରମଣ ବ୍ୟାପିବାର ୫ ପ୍ରମୁଖ କାରଣ ଦର୍ଶାଇଛନ୍ତି । ଏହି କାରଣ ଗୁଡ଼ିକ ହେଉଛି ଡେଲଟା ପ୍ରଜାତି, ଲୋକଙ୍କ ବ୍ୟବହାର, ଲକଡାଉନ କଟକଣା କୋହଳ ଏବଂ ମନ୍ଥର ଟିକାକରଣ ।
ଏକ ସାକ୍ଷାତକାରରେ ସ୍ୱାମୀନାଥନ କହିଛନ୍ତି ଯେ ଦ୍ରୁତ ଗତିରେ ବ୍ୟାପୁଥିବା ଡେଲଟା ପ୍ରଜାତି ସବୁଠୁ ସଂକ୍ରାମକ ଏବଂ କରୋନାର ସବୁଠାରୁ ଭୟଙ୍କର ପ୍ରଜାତି । ସଂକ୍ରମଣ ବଢ଼ିବା ପଛରେ ଏହା ଏକ ପ୍ରମୁଖ କାରଣ । ସ୍ୱାମୀନାଥନଙ୍କ ଅନୁଯାୟୀ ଜଣେ ବ୍ୟକ୍ତି ଯଦି ମୂଳ କରୋନା ଭାଇରସରେ ସଂକ୍ରମିତ ହେବେ ତେବେ ସେ ୩ ଜଣଙ୍କୁ ସଂକ୍ରମିତ କରିପାରିବେ । କିନ୍ତୁ ଜଣେ ବ୍ୟକ୍ତି ଯଦି ଡେଲଟା ପ୍ରଜାତିରେ ସଂକ୍ରମିତ ହୋଇଥିବେ ତେବେ ସେ ୮ ଜଣଙ୍କୁ ସଂକ୍ରମିତ କରିପାରିବେ । ଲୋକେ ଅଧିକ ଘର ବାହାରକୁ ବାହାରିବା ଦ୍ୱାରା ଏବଂ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାରୁ ଏହା ସଂକ୍ରମଣ ବଢ଼ିବାର କାରଣ ହେଉଛି । ସେହିପରି ବିଶ୍ୱରେ ଅନେକ ରାଷ୍ଟ୍ର କରୋନା କଟକଣା କୋହଳ କଲେଣି । ମାସ୍କ ଏବଂ ସାମାଜିକ ଦୂରତା ଉପରେ ବି ଧ୍ୟାନ ରହୁନାହିଁ । କିଛି ରାଷ୍ଟ୍ରରେ ଟିକାକରଣ କମ ହୋଇଥିବାରୁ ଗୁରୁତର ରୋଗୀଙ୍କ ସଂଖ୍ୟା ବଢ଼ୁଛି । ବିଶ୍ୱର କିଛି ରାଷ୍ଟ୍ର ଏବେ ବି ଅକ୍ସିଜେନ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ଏବେ ପ୍ରାୟ ଶହେ ରାଷ୍ଟ୍ରରେ ଡେଲଟାର ପ୍ରକୋପ ଦେଖିବାକୁ ମିଳୁଥିବାରୁ ଆଗକୁ ତୃତୀୟ ଓ ଚତୁର୍ଥ ଲହରର କିଭଳି ମୁକାବିଲା ହେବ ତାହାକୁ ନେଇ ଚିନ୍ତା ବଢ଼ିଛି ।
Powered by Froala Editor