ଭାଙ୍ଗି ପଡିଛି ଆଝାର, କହିଲା ‘ମୁଁ ମରିଯାଇଥିଲେ ଭଲ ହୋଇଥାନ୍ତା’

ଭାରତୀୟ ସେନା ଦ୍ୱାରା ପାକିସ୍ତାନ ଉପରେ ହୋଇଥିବା ଏୟାରଷ୍ଟ୍ରାଇକରେ ଅନେକ ଆତଙ୍କୀ ଆଡ୍ଡା ଧୂଳୀସାତ ହୋଇଛି । ଏଥିରେ ଆତଙ୍କବାଦୀ ମାସୁଦ ଆଝାରର ସମୂର୍ଣ୍ଣ ପରିବାର ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମାସୁଦର ଭଉଣୀ-ଭିଣୋଇ ସମେତ ୧୦ଜଣଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟରେ ସୂଚନା ଦିଆଯାଇଛି । କେବଳ ଏତିକି ନୁହେଁ ଆଝାରର ୪ ଜଣ ସହଯୋଗୀ ମୃତ୍ୟୁବରଣ କରିଛନ୍ତି ।
ମୃତକଙ୍କ ମଧ୍ୟରେ ରହିଛନ୍ତି ଆଝାରର ଭଉଣୀ ଓ ତାଙ୍କ ପରିବାର, ତା ଭାଇ ହାଜିଫୁଲ୍ଲା ଓ ତାହାର ପରିବାର, ଆଝାରର ସହଯୋଗୀ ଫାଜିଲ୍ ଭାଞ୍ଜେ ଓ ତାହାର ପତ୍ନୀ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣାକୁ ନେଇ ଆଝାର ଏତେ ଭାଙ୍ଗିପଡ଼ିଛି ଯେ ସେ କହିଛି ଯେ ଏହି ଆକ୍ରମଣରେ ସେ ନିଜେ ମରିଯାଇଥିଲେ ଭଲ ହୋଇଥାନ୍ତା । ଏସବୁ ମୃତକଙ୍କ ଅନ୍ତିମ ସଂସ୍କାର ବହାବଲପୁରରେ ହୋଇଛି ।
ଜୈଶ-ଇ-ମହମ୍ମଦ ଆତଙ୍କୀ ସଂଗଠନ ପ୍ରତିଷ୍ଠାତା ହେଉଛି ମାସୁଦ ଆଝାର । ମଙ୍ଗଳବାର ବିଳମ୍ବିତ ରାତିରେ ଭାରତୀୟ ସେନା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରର ୯ଟି ସ୍ଥାନରେ ୨୧ଟି ଆତଙ୍କବାଦୀ ଆଡ୍ଡା ଉପରେ ବୋମା ବର୍ଷଣ କରିଥିଲା । ଏଥିରେ ଅନେକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆତଙ୍କବାଦୀଙ୍କ ତାଲିମ ଶିବିର, ସେମାନଙ୍କ ଘର ଏବଂ ମୁଖ୍ୟାଳୟ ଧ୍ୱଂସ ହୋଇଛି ।
ସୂଚନାଯୋଗ୍ୟରେ ୧୯୯୯ ଏୟାର ଇଣ୍ଡିଆ ବିମାନ ଅପହରଣ କାଣ୍ଡ ପରେ ଭାରତ ସରକାର ମାସୁଦ ଆଝାରକୁ ମୁକ୍ତ କରିଥିଲେ । ଏହା ପରେ ସେ ଜୈସ-ଇ-ମହମ୍ମଦ ଆତଙ୍କୀ ସଂଗଠନ ଗଠନ କରି ଭାରତ ଉପରେ ବାରମ୍ବାର ଆକ୍ରମଣ କରିଥିଲା । ୨୦୦୧ ସଂସଦ ଆକ୍ରମଣ, ୨୦୦୭ ଆଜମେର ଦରଘା ବିସ୍ଫୋରଣ, ୨୦୧୬ ପଠାନକୋଟ ଏୟାରବେସ ଆକ୍ରମଣ, ୨୦୧୬ ଉରି ଆର୍ମିବେସ୍ ଆକ୍ରମଣ, ୨୦୧୯ ପୁଲଓ୍ବାମା ଆକ୍ରମଣ ପଛରେ ମାସୁଦ ଆଝାର ମାଷ୍ଟରମାଇଣ୍ଡ ଥିଲା ।
Powered by Froala Editor