ଗରମ ଏବଂ ଗୁଳୁଗୁଳି: ଦିନ ଅପେକ୍ଷା ଅଧିକ ରହିବ ରାତି ତାପମାତ୍ରା
ଭୁବନେଶ୍ୱର: ଚଳିତ ବର୍ଷ ମେ’ରେ ଦେଶ ସହ ରାଜ୍ୟରେ ସ୍ୱାଭାବିକରୁ ଅଧିକ ତାତି ଅନୁଭୂତ ହେବ। ଦିନ ଅପେକ୍ଷା ରାତି ତାପମାତ୍ରା ଅଧିକ ରହିବ। ରାତିରେ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବୁଧବାର ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଆଭାସି ମାଧ୍ୟମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମେ’ରେ ସର୍ବାଧିକ ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବ। ଦେଶର ଦକ୍ଷିଣାତ୍ୟ ଉପଦ୍ବୀପ ଏବଂ ପୂର୍ବାଞ୍ଚଳର କେତେକ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକ କିମ୍ବା ସ୍ବାଭାବିକରୁ କମ୍ ରହିବ। ରାତିରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିପାରେ। ଉତ୍ତର-ପଶ୍ଚିମ, କେନ୍ଦ୍ରୀୟ ଭାରତ ଏବଂ ପୂର୍ବ ଭାରତର ଅନେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ସ୍ବାଭାବିକରୁ ଅଧିକ ରହିବ। ବିଶେଷ କରି ରାଜସ୍ଥାନ, ହରିୟାଣା, ପଞ୍ଜାବ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଗାଙ୍ଗେୟ ପଶ୍ଚିମବଙ୍ଗ, ଗୁଜରାଟ, ଓଡ଼ିଶା, ଛତିଶଗଡ଼, ମହାରାଷ୍ଟ୍ର, ତେଲଙ୍ଗାନା ଏବଂ କର୍ଣ୍ଣାଟକରେ ଗ୍ରୀଷ୍ମ ଲହରୀ ଦିନ ସଂଖ୍ୟା ଅଧିକ ରହିବା ସମ୍ଭାବନା ରହିଛି। ମେ’ରେ ବର୍ଷା ସ୍ବାଭାବିକ ରହିବ। ଉତ୍ତର-ପଶ୍ଚିମାଞ୍ଚଳ, କେନ୍ଦ୍ରୀୟ ଭାରତ ଏବଂ ପୂର୍ବ ଭାରତ କିଛି ଅଞ୍ଚଳକୁ ଛାଡ଼ି ଦେଲେ ଅବଶିଷ୍ଟ ସ୍ଥାନଗୁଡ଼ିକରେ ସ୍ବାଭାବିକରୁ ଅଧିକ ବର୍ଷା ହୋଇପାରେ। ସାରା ଓଡ଼ିଶାରେ ଦିନ ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବ; କିନ୍ତୁ ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବା ଦ୍ବାରା ରାତିରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ। ଦକ୍ଷିଣ, ଉତ୍ତର ଏବଂ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ଗ୍ରୀଷ୍ମପ୍ରବାହ ଅବଧି ଅଧିକ ରହିବା ସମ୍ଭାବନା ରହିଛି।
Powered by Froala Editor