ପୁରୀ କୋଣାର୍କ ମଧ୍ୟରେ ନୂତନ ରେଳପଥ ସଂଯୋଗ ପାଇଁ ଜମି ଅଧିଗ୍ରହଣ ଆରମ୍ଭ
ପୁରୀ : ପୁରୀରୁ କୋଣାର୍କ ମଧ୍ୟରେ ନୂତନ ରେଳପଥ ସଂଯୋଗ ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହୋଇଥିବା ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଶୁକ୍ରବାର ସୂଚନା ଦେଇଛନ୍ତି। ପୁରୀ ରେଳ ଷ୍ଟେସନ ପୁନଃନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସେ ସମୀକ୍ଷା କରି ଅବଶିଷ୍ଟ କାର୍ଯ୍ୟଗୁଡ଼ିକ ଯଥାଶୀଘ୍ର ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି।
ସେ କହିଲେ, ଅମ୍ରିତ ଷ୍ଟେସନ ଯୋଜନାରେ ୧୭୭ କୋଟି ୪୧ ଲକ୍ଷ ଟଙ୍କା ବ୍ୟୟରେ ପୁରୀ ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରାଯିବ। ସେଥିରେ ଐତିହ୍ୟ ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିରାସତ ଭି – ବିକାଶ ଭି’ ଚିନ୍ତାଧାରାକୁ ନେଇ ପୁରୀ ରେଳ ଷ୍ଟେସନର ବିକାଶ କରାଯାଉଥିବା ସେ କହିଛନ୍ତି। ପୂର୍ବତଟ ରେଳପଥ ମହା ପ୍ରବନ୍ଧକ ପରମେଶ୍ବର ଫୁଙ୍କୱାଲ ଏବଂ ଖୋର୍ଦ୍ଧା ମଣ୍ଡଳ ରେଳ ପ୍ରବନ୍ଧକ ଏଚ. ଏସ. ବାଜୱା ଉପସ୍ଥିତ ଥିଲେ। ୨୪, ୧୮୫ ବର୍ଗ ମିଟର ଅଞ୍ଚଳରେ ୪ ତାଲା ବିଶିଷ୍ଟ ନୂତନ କୋଠା ଐତିହ୍ୟ ଢାଞ୍ଚାରେ ନିର୍ମାଣ କରାଯାଉଛି। ସେଠାରେ ରେଳ ଯାତ୍ରୀଙ୍କୁ ବିଶ୍ବସ୍ତରୀୟ ସେବା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।
Powered by Froala Editor