ସାଙ୍ଗଙ୍କୁ ବଞ୍ଚାଇବାକୁ ଯାଇଥିଲେ, ଚାଲିଗଲା ଜୀବନ

ବୁର୍ଲା : ସାଙ୍ଗଙ୍କୁ ବଞ୍ଚାଇବାକୁ ଯାଇ ଜଣେ ଭିସୁଟ୍ ଛାତ୍ରୀ ଫିସେରି ପଏଣ୍ଟରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି । ମାର୍ଚ୍ଚ ୧୩ ତାରିଖରେ ଅଠରହଜାର ସାଇଫନରେ ବୁଡ଼ିଯାଇ ଜଣେ ଭିସୁଟ୍ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା ।
ଭିସୁଟ୍ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ଶେଷବର୍ଷ ଛାତ୍ରୀ ଶାଶ୍ବତୀ ଭୋଇ (୨୦) ଗୁରୁବାର ୭ ଜଣ ସାଙ୍ଗଙ୍କ ସହ ଅପରାହ୍ଣରେ ହୀରାକୁଦ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ । ଫିସେରି ପଏଣ୍ଟରେ ସେମାନେ ଗାଧୋଉଥିବାବେଳେ ହଠାତ୍ ଜଣେ ସାଙ୍ଗ ପାଣିରେ ବୁଡ଼ି ଯାଇଥିଲେ। ଏହାଦେଖି ଶାଶ୍ବତୀ ତୁରନ୍ତ ସାଙ୍ଗକୁ ଉଦ୍ଧାର କରିବାକୁ ଯାଇଥିଲେ, ସାଙ୍ଗଙ୍କୁ ଉଦ୍ଧାର କଲେ କିନ୍ତୁ ସେଠାରେ ଅଧିକ ପାଣି ଥିବାରୁ ନିଜେ ବୁଡ଼ି ଯାଇଥିଲେ । ଅନ୍ୟ ସାଙ୍ଗମାନେ ନିକଟରେ ଥିବା ୩ଜଣ ଯୁବକଙ୍କୁ ସହାୟତା ପାଇଁ ଡାକିଥିଲେ । ସେମାନେ ଆସି ଜଣେ ଛାତ୍ରୀଙ୍କୁ ପାଣିରୁ ବାହାର କରିଥିଲେ, ପରେ ଶାଶ୍ବତୀଙ୍କୁ ପାଣିରୁ ବାହାର କରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଶାଶ୍ବତୀ ବରଗଡ଼ର ପୃଥ୍ୱୀରାଜ ଭୋଇଙ୍କ ଝିଅ ବୋଲି ଜଣାପଡିଛି ।
Powered by Froala Editor