ଦାୟିତ୍ୱ ଗ୍ରହଣ କରୁ କରୁ ଟ୍ୱିଟରକୁ ଚେତାବନୀ ଦେଲେ ଆଇଟି ମନ୍ତ୍ରୀ
କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ଦାୟିତ୍ୱ ଗ୍ରହଣ କରିଛନ୍ତି ନୂଆ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏଥିସହ ଆମେରିକାନ୍ କମ୍ପାନୀ ଟ୍ୱିଟରକୁ ନେଇ ଚେତାବନୀ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ସହ ଚାଲିଥିବା ଟୁଇଟର ବିବାଦକୁ ସମାଧାନ କରିବାକୁ ଯାଇ ଦେଶର ନିୟମ ସର୍ବୋଚ୍ଚ ଅଟେ ଏବଂ ଏହାକୁ ପାଳନ କରିବା ଜରୁରୀ ବୋଲି ଟୁଇଟରକୁ କହିଛନ୍ତି ।
ସୂଚନା ମୁତାବକ, ମେ’ ମାସରେ ଲାଗୁ କରାଯାଇଥିବା ନୂଆ ଆଇଟି ନିୟମ ଅନୁଯାୟୀ ଟ୍ୱିଟରକୁ ରେସିଡେଣ୍ଟ ଗ୍ରୀଭେନ୍ସ ଅଫିସର (ଆରଜିଓ) ନିଯୁକ୍ତ କରିବା କଥା । କିନ୍ତୁ ଟ୍ୱିଟର ଆରଜିଓ ନିଯୁକ୍ତ ନକରିବା ସହ ନୂଆ ନିୟମ ପାଳନ କରିନାହିଁ । ଏନେଇ କେନ୍ଦ୍ର ସହ ଟ୍ୱିଟରର ବିବାଦ ଲାଗିରହିଛି ।
ଅନ୍ୟପଟେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଆଇଟି ନିୟମକୁ ନେଇ ଟ୍ୱିଟରକୁ ଚେତାବନୀ ଦେଇଛନ୍ତି। ଭାରତ ସରକାରଙ୍କ ନିୟମ ମାନିବାକୁ ହେବ ବୋଲି ହାଇକୋର୍ଟ ଟ୍ୱିଟରକୁ କହିଛନ୍ତି। ଆଗାମୀ ଦିନରେ ଏ ପ୍ରସଙ୍ଗରେ ଟ୍ୱିଟର ସୁରକ୍ଷା ମାଗିଲେ ମିଳିବ ନାହିଁ ବୋଲି କୋର୍ଟ କହିଛନ୍ତି। ଏଥିସହ ଟ୍ୱିଟରକୁ ଏକ ସତ୍ୟପାଠ ମାଗିଛନ୍ତି। ଯେଉଁଥିରେ ଟ୍ୱିଟର କ’ଣ ସବୁ ପଦକ୍ଷେପ ନେଇଛି ନୂଆ ଆଇଟି ନିୟମକୁ ନେଇ ବିସ୍ତୃତ ଭାବରେ ସତ୍ୟପାଠରେ ଉଲ୍ଲେଖ କରିବାକୁ କୋର୍ଟ କହିଛନ୍ତି। ଆଜି ଏହି ମାମଲାରେ ଶୁଣାଣି ବେଳେ ଟ୍ୱିଟର କହିଛି ଯେ ଭାରତ ସରକାରଙ୍କ ନୂଆ ଆଇଟି ନିୟମ ପାଳନ କରିବାକୁ ଆଉ ୮ ସପ୍ତାହ ଆବଶ୍ୟକ। ଏହାପୂର୍ବରୁ କିନ୍ତୁ ମଙ୍ଗଳବାର ହାଇକୋର୍ଟ ଟ୍ୱିଟରକୁ ମାତ୍ର ଦୁଇ ଦିନ ସମୟ ଦେଇଥିଲେ। ଯାହାର ଅବଧି ଆଜି ଶେଷ ହେଉଛି।
Powered by Froala Editor