ଅପରେସନ କରି ୭ ଜଣଙ୍କୁ ମାରିଦେଲା ନକଲି ହାର୍ଟ ସର୍ଜନ

ମଧ୍ୟପ୍ରଦେଶର ଦମୋହ ସହରର ଏକ ଘରୋଇ ମିଶନାରି ହସ୍ପିଟାଲରେ ଜଣେ ନକଲି ଡାକ୍ତର ହୃତ୍ପିଣ୍ଡ ଅସ୍ତ୍ରୋପଚାର ବେଳେ ୭ ଜଣ ରୋଗୀଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଛି। କୁହାଯାଉଛି ଯେ ଏହି ନକଲି ଡାକ୍ତର ଲଣ୍ଡନର ଡାକ୍ତର ଏନକେମ୍ ଜନ୍ ନାମରେ କାମ କରୁଥିଲେ । ଏହାରି ମଧ୍ୟରେ ଡାକ୍ତର ହୃଦରୋଗୀଙ୍କ ଅସ୍ତ୍ରୋପଚାର କରିଥିଲେ । ଏଥିମଧ୍ୟରୁ ସାତ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ଜିଲା ଅଧିକାରୀ ଅଭିଯୋଗର ତଦନ୍ତ ଚଳାଇଛନ୍ତି। ମାସେ ମଧ୍ୟରେ ଉକ୍ତ ହସ୍ପିଟାଲରେ ୭ ଜଣଙ୍କ ମୃତ୍ୟୁ ଘଟିବା ଉକ୍ତ ଅଞ୍ଚଳରେ ଚିନ୍ତା ବଢ଼ାଇଦେଇଛି।
ତଦନ୍ତ ପରେ ଅଭିଯୁକ୍ତଙ୍କ ପ୍ରକୃତ ନାମ ନରେନ୍ଦ୍ର ବିକ୍ରମାଦିତ୍ୟ ଯାଦବ ବୋଲି ଜଣାପଡ଼ିଛି। ସରକାରୀ ଭାବେ ରୋଗୀଙ୍କ ମୃତ୍ୟୁସଂଖ୍ୟା ୭, କିନ୍ତୁ ପ୍ରକୃତ ମୃତ୍ୟୁ ଏହାଠାରୁ ଅଧିକ ବୋଲି ଜିଲା ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷ ତଥା ଆଇନଜୀବୀ ଦୀପକ ତିଓ୍ବାରୀ କହିଛନ୍ତି। ସେ ପୂର୍ବରୁ ଦମୋହ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଅନ୍ୟ କେତେଜଣ ରୋଗୀଙ୍କ ଅଭିଯୋଗ ପରେ ଡାକ୍ତର ଜଣକ ନକଲି ବୋଲି ଜଣାପଡ଼ିଥିଲା।
ଦୀପକ ତିୱାରୀ କହିଛନ୍ତି ଯେ, ମାମଲାର ତଦନ୍ତରେ ଅବହେଳା ପ୍ରଦର୍ଶନ କରାଯାଇଥିଲା, ଯାହା ଯୋଗୁଁ ମାର୍ଚ୍ଚ ମାସରେ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ତଦନ୍ତ ସମୟରେ, ମୃତ୍ୟୁ ସଂଖ୍ୟା ଅଧିକ ହୋଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି ।ପ୍ରକୃତ ଡାକ୍ତର ବ୍ରିଟେନରେ ଥିବାବେଳେ ନରେନ୍ଦ୍ର ଏଠାରେ ନିଜକୁ ଡାକ୍ତର ପରିଚୟ ଦେଇ ଚିକିତ୍ସା ଚଳାଇଥିଲେ।
Powered by Froala Editor