କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷତି
ଭୁବନେଶ୍ବର : କାଳବୈଶାଖୀ ପ୍ରଭାବରେ ଦୁଇଦିନ ହେଲା ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ଲାଗିରହିଛି। କୁଆପଥର ବର୍ଷା ଏବଂ ପବନ ଯୋଗୁଁ ଶୁକ୍ରବାର ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲାରେ ଘରଦ୍ବାର ଭାଙ୍ଗିବା ସହିତ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଶନିବାର ଗଞ୍ଜାମ ଜିଲାରେ କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷତି ଘଟିଛି। ବଜ୍ରପାତରେ ଗଞ୍ଜାମ ଏବଂ ପୁରୀ ଜିଲାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଉତ୍ତର, ଆଭ୍ୟନ୍ତରୀଣ ଏବଂ ଉପକୂଳବର୍ତ୍ତୀ ଜିଲାର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ସହ ଝଡବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଜିଲାପାଳମାନେ ଏଥିପ୍ରତି ସତର୍କ ରହିବାକୁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଶନିବାର ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଚାନ୍ଦବାଲି, କଟକ, ଭୁବନେଶ୍ବର, ଭଦ୍ରକ, ଗଞ୍ଜାମ, ଝାରସୁଗୁଡା, ଯାଜପୁର, ଢେଙ୍କାନାଳ, ଜଗତସିଂହପୁର କେନ୍ଦ୍ରାପଡା, ଖୋର୍ଦ୍ଧା ଏବଂ ନୟାଗଡ ଜିଲାର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡଘଡି ସହ ଝଡବର୍ଷା ହୋଇଛି। ଗତ ୨୪ଘଣ୍ଟାରେ ବାରିପଦାରେ ସର୍ବାଧିକ ୧୨୩.୪ମି.ମି. ବର୍ଷା ହୋଇଥିବା ବେଳେ ଆଜି ଛତ୍ରପୁରରେ ସବୁଠୁ ଅଧିକ ୬୨.୮ମି.ମି. ବର୍ଷା ହୋଇଛି। କଟକରେ ୨୧.୨ମି.ମି, ବାଲେଶ୍ବର ୧୫ମି.ମି. ଚାନ୍ଦବାଲି ୧୬.୪ମି.ମି. ଗୋପାଳପୁର ୧୪.୨ମି.ମି ଏବଂ ଭୁବନେଶ୍ବରରେ ୩ମି.ମି. ବର୍ଷା ହୋଇଛି। ଅଧିକାଂଶ ଅଞ୍ଚଳରେ ଦିନ ତାପମାତ୍ରା ୨୩ ଡିଗ୍ରୀ ତଳକୁ ଖସିବା ସହିତ ଦିନରେ ଶୀତ ଅନୁଭୂତ ହୋଇଛି। ବାଲେଶ୍ବରରେ ଦିନ ତାପମାତ୍ରା ୨୨.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକ ୨୬, ଭୁବନେଶ୍ବର ୨୫.୪, ବାରିପଦା ୨୩, ଭଦ୍ରକ, ଯାଜପୁର, ଢେଙ୍କାନାଳ ଏବଂ କେନ୍ଦ୍ରାପଡାରେ ଦିନ ତାପମାତ୍ରା ୨୪ ଡିଗ୍ରୀ ରହିଥିଲା। ଗଞ୍ଜାମ ଜିଲାରେ କାଳବୈଶାଖୀ ପ୍ରଭାବରେ ଗଛଡାଳ ଭାଙ୍ଗି ପଡିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି।
ଶନିବାର ବଜ୍ରପାତରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ସମେତ ୨ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିମାନେ ହେଲେ ରାଜେଶ ଗୌଡ଼ ଓ ମନୋଜ ନାୟକ। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ବମକେଇରୁ ନାରାୟଣପୁର ଫେରୁଥିବା ସମୟରେ ରାଜେଶ ଗୌଡ଼ ବଜ୍ରପାତ ଯୋଗୁଁ ତଳେ ପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ; କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜେଶ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ପୁରୀ ଜିଲା ବ୍ରହ୍ମଗିରିରେ କାଳବେଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ଲାଗି ରହିଛି। ବ୍ରହ୍ମଗିରି ଥାନା ଗୋବର୍ଦ୍ଧନପୁର ଗାଁର ଦୁଃଶାସନ ନାୟକଙ୍କ ବଡ଼ ପୁଅ ମନୋଜ ନାୟକ କ୍ଷେତକୁ ଯାଇଥିଲେ। ବଜ୍ରପାତରେ ଗୁରୁତର ମନୋଜଙ୍କୁ ତାଙ୍କ ପରିବାର ଓ ଗାଁ ଲୋକେ ପୁରୀ ସଦର ଚିକିତ୍ସାଳୟକୁ ନେଇଥିଲେ। ଡାକ୍ତର ସେଠାରେ ମନୋଜଙ୍କୁ ମୃତ ଘୋଷଣା କରିଥିଲେ। ବ୍ରହ୍ମପୁରରେ ପ୍ରବଳ ବର୍ଷା ହୋଇଥିବାରୁ ଏମ୍କେସିଜି ମେଡିକାଲରେ ପାଣି ପଶିଛି। ଏଠାରେ ଟିକଟ୍ କାଉଣ୍ଟରରେ ବର୍ଷା ପାଣି ପଶିଯିବାରୁ କାର୍ଯ୍ୟ ବନ୍ଦ ରହିଛି। ଡାକ୍ତରଖାନାରେ ବର୍ଷା ପାଣି ପ୍ରବେଶ ଦ୍ବାରା ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ପ୍ରବଳ ବର୍ଷାରେ ସହର ଜଳମଗ୍ନ ହେବା ସହିତ ପବନ ଯୋଗୁଁ ବଡ଼ ବଡ଼ ଗଛ ସବୁ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି, ଆହୁରି ଦୁଇ ଦିନ ପ୍ରବଳ ବର୍ଷା ହୋଇପାରେ। ବଙ୍ଗୋପସାଗରରୁ ଆସୁଥିବା ଆର୍ଦ୍ରବାୟୁ ଏବଂ ପଶ୍ଚିମା ଦିଗରୁ ଆସୁଥିବା ଶୁଷ୍କ ବାୟୁ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲାରେ କାଳବୈଶାଖୀ ହୋଇପାରେ। ଆସନ୍ତା ୨୪ଘଣ୍ଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଏବଂ ଗଜପତି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ; କିନ୍ତୁ ପରବର୍ତ୍ତୀ ସମୟରେ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବାର ସମ୍ଭାବନା ରହିଛି। ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ। ପରବର୍ତ୍ତୀ ସମୟରେ ରାତି ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି। କାଳବୈଶାଖୀ ସମୟରେ ବର୍ଷା ପବନ ଏବଂ ବଜ୍ରପାତ ଆଶଙ୍କା ଥିବାରୁ ଲୋକେ ପଦାକୁ ନଯାଇ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।
Powered by Froala Editor