ମାତୃଶକ୍ତି ହେଉଛି ବିଶେଷ ଗୁଣର ଅଧିକାରୀ: ବାଚସ୍ପତି

ଭୁବନେଶ୍ବର : ସମାଜରେ ପୁରୁଷ ଓ ମହିଳା ଉଭୟ ପରିପୂରକ। ଉଭୟଙ୍କ ବିନା ଏ ସମାଜ ଆଗକୁ ବଢ଼ିବା ଅସମ୍ଭବ। ମାତୃଶକ୍ତି ହେଉଛି ବିଶେଷ ଗୁଣର ଅଧିକାରୀ। ମା’ ନଥିଲେ ଏ ସୃଷ୍ଟି ଏତେ ସୁନ୍ଦର ହୋଇପାରିନଥାନ୍ତା ବୋଲି ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମତବ୍ୟକ୍ତ କରିଛନ୍ତି।
ଲୋକସେବକ ମଣ୍ଡଳ ଓ ‘ସମାଜ’ ପକ୍ଷରୁ ଭାରତୀୟ ବିଦ୍ୟାଭବନ ଏ.ବି ହଲ୍ରେ ଅନୁଷ୍ଠିତ ଆନ୍ତର୍ଜାତିକ ମହିଳା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଥିଲେ ଯେ, ସୃଷ୍ଟିର ସବୁଠୁ ଅନବଦ୍ୟ କୃତି ଓ ଅନବଦ୍ୟ ଶକ୍ତି ହେଉଛି ନାରୀଶକ୍ତି। ମା’ କେବଳ ନିଜ ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତା କରେନି ସେ ସମାଜ କଥା ମଧ୍ୟ ଚିନ୍ତା କରିଥାଏ। ସମାଜ ପ୍ରତି ନାରୀଙ୍କ ଅବଦାନ ଅତୁଳନୀୟ।
କାର୍ଯ୍ୟକ୍ରମରେ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି କହିଥିଲେ ଯେ, ଘରେ ଓ ବାହାରେ ନାରୀର କର୍ତ୍ତବ୍ୟ ରହିଛି। କର୍ମଜୀବୀ ମହିଳା ଘରେ ଏବଂ କର୍ମକ୍ଷେତ୍ରରେ ଭାରସାମ୍ୟ ରକ୍ଷା କରି ନିଜ କର୍ତ୍ତବ୍ୟ ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ। ଓଡ଼ିଶୀ ନୃତ୍ୟଗୁରୁ ସୁଜାତା ମହାପାତ୍ର ନୃତ୍ୟ କ୍ଷେତ୍ରରେ ତାଙ୍କର ସଂଘର୍ଷମୟ ଜୀବନ ଉପରେ ଆଲୋକପାତ କରିଥିଲେ। କଣ୍ଠଶିଳ୍ପୀ ଗୀତା ଦାଶ କହିଥିଲେ ଯେ, କଷ୍ଟ କଲେ ନିଶ୍ଚିତ ଜଣେ ନାରୀ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ। ଏ କ୍ଷେତ୍ରରେ ସେ ନିଜର ଉଦାହରଣ ରଖିଥିଲେ। ଅଭିନେତ୍ରୀ ଅର୍ଚ୍ଚିତା ସାହୁ କହିଥିଲେ ଯେ, ଶିକ୍ଷାଗତ ଯୋଗ୍ୟତା ଓ ଆର୍ଥିକ ସ୍ବାଧୀନତା ମିଳିଲେ ନାରୀକୁ ସାହସ ମିଳେ। ମହିଳାମାନେ ନିଜ ଉପରେ ସର୍ବଦା ଆତ୍ମବିଶ୍ବାସ ରଖନ୍ତୁ। କାର୍ଯ୍ୟକ୍ରମର ଉଦ୍ଘାଟନୀ ପର୍ବରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ ଓ ‘ସମାଜ’ର ସମ୍ପାଦକ ତପନ କୁମାର ମିଶ୍ର ଯୋଗ ଦେଇଥିଲେ।
Powered by Froala Editor