ବ୍ଲାକଫଙ୍ଗସ ନେଲାଣି ୨୦ ଜୀବନ
ଭୁବନେଶ୍ୱର : ଦୁଇ ମାସ ଭିତରେ ରାଜ୍ୟରେ ବ୍ଲାକଫଙ୍ଗସ ଯୋଗୁଁ ୨୦ଜଣଙ୍କର ମୃତୁ୍ୟ ହୋଇସାରିଲାଣି । ମୃତକଙ୍କ ମଧ୍ୟରେ ୧୫ଜଣ ପୁରୁଷ ଓ ୫ଜଣ ମହିଳା ରହିଛନ୍ତି । ମୃତକଙ୍କ ହାରାହାରି ବୟସ ୫୦ ବର୍ଷରୁ ଅଧିକ ରହିଛି । ରାଜ୍ୟର ୧୨ଟି ଜିଲ୍ଲାରୁ ମୃତକ ରହିଛନ୍ତି । ମେ’ ଦ୍ୱିତୀୟ ସପ୍ତାହରେ ରାଜ୍ୟରେ ପ୍ରଥମ ବ୍ଲାକଫଙ୍ଗସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ପରେ ଏହି ସଂଖ୍ୟା ବଢ଼ି ବଢ଼ି ୧୩୦ଟି ମାମଲା ସାମ୍ନାକୁ ଆସିଲାଣି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୬ ଜଣ ସୁସ୍ଥ ହୋଇସାରିଲେଣି । ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ଜଣ ରହିଛନ୍ତି । ଏବେ ୯୪ଜଣଙ୍କ ଚିକିତ୍ସା ଜାରି ରହିଛି । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ବ୍ଲାକଫଙ୍ଗସ ରୋଗୀଙ୍କ ସଂଖ୍ୟା କିନ୍ତୁ ବଢ଼ିବାରେ ଲାଗିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର କହିବା କଥା, ରାଜ୍ୟରେ ବ୍ଲାକଫଙ୍ଗସର ଭୟଙ୍କର ସ୍ଥିତି ନାହିଁ । ଗୋଟିଏ ଦୁଇଟି ସଂଖ୍ୟା ବଢ଼ୁଛି । ତେବେ ବ୍ଲାକ ଫଙ୍ଗସ ରୋଗୀଙ୍କ ଚିକତ୍ସା ପାଇଁ ଆବଶ୍ୟକ ଆମ୍ଫୋଟେରିସିନ-ବି’ ଇଞ୍ଜେକ୍ସନର ରାଜ୍ୟରେ ଅଭାବ ରହିଛି । ରାଜ୍ୟରେ ଏ ପର୍ଯ୍ୟନ୍ତ ଏହି ଇଞ୍ଜେକ୍ସନର କେତେ ଭାଏଲ ଆସିଛି, ସେ ସଂପର୍କରେ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଫଳରେ ହସ୍ପିଟାଲରେ ଡାକ୍ତରମାନେ ବିକଳ୍ପ ଚିକିତ୍ସା ପାଇଁ ବାଧ୍ୟ ହେଉଛନ୍ତି ।
Powered by Froala Editor