କଞ୍ଚା ଲଙ୍କାର ଅଭାବୀ ବିକ୍ରି : ଗଛରେ ପାଚୁଛି, ତୋଳୁନାହନ୍ତି ଚାଷୀ

ବର୍ତ୍ତମାନ ଟମାଟୋର ଅଭାବୀ ବିକ୍ରି ଚାଷୀଙ୍କ ମେରୁଦଣ୍ଡ ବଙ୍କା କରିଦେଇଛି । ଯେଉଁଠି ଦେଖିବେ ବିଲରେ ଗଦା ଗଦା ଟମାଟୋ ଗାଇଗୋରୁ ଚରୁଛନ୍ତି । ଖାଲି ଟମାଟୋ ଚାଷୀ ନୁହେଁ ଲଙ୍କା ଚାଷୀ ବି ମୁଣ୍ଡରେ ହାତ ଦେଇ ବସିଛନ୍ତି । ଗଛରେ ସବୁଜ ଲଙ୍କା ଝୁଲୁଛି ହେଲେ ଚାଷୀ ସେସବୁ ତୋଳିବାକୁ ମନ କରୁନି । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଚିତ୍ର । କିଲୋ ପିଛା ୧୮ରୁ ୨୦ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଗତବର୍ଷ ଏହି ସମୟରେ ଲଙ୍କା ଦାମ୍ କେଜି ପିଛା ଥିଲା ୪୦ରୁ ୫୦ ଟଙ୍କା । ଏବେ ଦର ଅଧାରୁ ମଧ୍ୟ କମ୍ ।
ଛତ୍ରପୁର ବ୍ଲକ୍ରେ ମାଧପୁର ସମେତ ବଡ଼ମାଧପୁର, ମହାନାଦପୁର, ବଉଳଗାଁ, ପୋଟଲାମପୁର ପଞ୍ଚାୟତରେ ସମ୍ପୂର୍ଣ୍ଣ ଏବଂ ବିପୁଳିଙ୍ଗୀ ପଞ୍ଚାୟତରେ ପ୍ରାୟ ୫୦୦ ଏକର ଜମିରେ ଲଙ୍କା ଚାଷ ହୁଏ । ଲଙ୍କା ବ୍ୟବସାୟର ପେଣ୍ଠସ୍ଥଳ ହେଉଛି ବଡ଼ମାଧପୁର । ପ୍ରତି ସନ୍ଧ୍ୟାରେ ନିକଟସ୍ଥ ପୁରୁଷୋତ୍ତମପୁର ବ୍ଲକ୍ର ଷୋଳଘର, ହିଣ୍ଡୁଳା ସମେତ ଅନ୍ୟ ସ୍ଥାନରୁ ଚାଷୀ ଏଠାକୁ ଲଙ୍କା ଆଣନ୍ତି । ବେପାରୀ ଲଙ୍କାର କେଜି ପିଛା ମୂଲ୍ୟ ଡାକନ୍ତି । ଯେଉଁ ବେପାରୀର ଚୂଡ଼ାନ୍ତ ମୂଲ୍ୟ ଅନ୍ୟମାନଙ୍କଠାରୁ ଅଧିକ ଥାଏ ସେହି ମୂଲ୍ୟରେ ସେହିଦିନ ପାଇଁ ଲଙ୍କା ବିକିଥାନ୍ତି ଚାଷୀ । ଗତବର୍ଷ ଲଙ୍କା ବେପାରକୁ ଜାତୀୟସ୍ତରର ଏକ ଘରୋଇ ବ୍ୟବସାୟିକ ସଂସ୍ଥାକୁ ବୁଝାସୁଝା ପାଇଁ ଦାୟିତ୍ୱ ଦେଇଥିଲା ଛତ୍ରପୁର କୃଷକ ଉତ୍ପାଦନ ସଂଘ । ସଂଘ କର୍ମକର୍ତ୍ତା ରବୀନ୍ଦ୍ର ନାହାକଙ୍କ ସୂଚନା ଅନୁସାରେ ଉକ୍ତ ସଂସ୍ଥା ସେତେବେଳେ ୪୧ରୁ ୪୯ ଟଙ୍କା ମୂଲ୍ୟ ଧାର୍ଯ୍ୟ କରି ଚାଷୀଙ୍କଠାରୁ ୪୨ ମେଟ୍ରିକ୍ ଟନ୍ କିଣି ବିହାରର ପାଟନା ପଠାଇଥିଲା । ଚାଷୀ ତା ପରଦିନ ପ୍ରାପ୍ୟ ପାଇଯାଉଥିଲା । ଉକ୍ତ ଅଞ୍ଚଳରୁ ଉତ୍ପାଦିତ ଲଙ୍କା ମହାରାଷ୍ଟ୍ରର ନାସିକ୍ ଏବଂ ଦିଲ୍ଲୀକୁ ଯୋଗାଣ ହୋଇଥାଏ । ମାତ୍ର କମ୍ ଦର ଯୋଗୁଁ ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି ।
ଉଦ୍ୟାନ ବିଭାଗ ଅଧିକାରୀ ଆଦିତ୍ୟ ବେହେରା କହିଛନ୍ତି, ପ୍ରତି ଏକର ପିଛା ୧୦ରୁ ୧୫ ଟନ୍ ଲଙ୍କା ଉତ୍ପାଦନ ହୋଇଥାଏ । ହେକ୍ଟର ପିଛା ଚାଷୀ ଲଙ୍କା ଉତ୍ପାଦନରେ ୫ରୁ ୬ ଲକ୍ଷ ଟଙ୍କା ଲଭା ଆଶା ରଖିଥାଏ ବୋଲି କହିଛନ୍ତି । ମାତ୍ର ଏଥର ଲଙ୍କା ମୂଲ୍ୟ କମ୍ ଥିବା ସେ ସ୍ୱୀକାର କରିଛନ୍ତି । ସେ ପୁଣି କହିଛନ୍ତି, ମହାନାଦପୁର ରାସ୍ତା ପାଶ୍ୱର୍ରେ ପିପିପି ମୋଡ୍ରେ ଶୀତଳଭଣ୍ଡାର ନିର୍ମାଣ ପ୍ରସ୍ତାବ ରହିଛି । ପୋଟଲାମପୁରଠାରେ ବଜାର ଗୃହ ଓ ଶୀତଳଭଣ୍ଡାର ପ୍ରସ୍ତାବ ପାଇଁ ସରକାରଙ୍କ ନିକଟରୁ ଏକ ପ୍ରସ୍ତାବ ଆସିଥିଲା । ଛତ୍ରପୁରରେ ଶୀତଳଭଣ୍ଡାର ଥିବାରୁ ଏତେ ନିକଟବର୍ତ୍ତୀ ଅଞ୍ଚଳରେ ଆଉ ଏକ ଶୀତଳଭଣ୍ଡାର ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦିଆଯାଇଛି । ସରକାରୀସ୍ତରରୁ ପ୍ରସ୍ତାବ ଆସିଲେ ବଡ଼ମାଧପୁରରେ ଏହା ସମ୍ଭବ ହୋଇପାରିବ ବୋଲି କହିଛନ୍ତି ହିଞ୍ଜିଳି ଆର୍ଏମ୍ସିଏସ୍ ସମ୍ପାଦକ ବିଶ୍ୱାଳ ।
Powered by Froala Editor