ପୁଣି ବଢ଼ିବ ଧାନ ସହାୟକ ମୂଲ୍ୟ !

ପୁଣି ଧାନ ସହ ଡାଲି ଏବଂ ତୈଳଜାତୀୟ ଦ୍ରବ୍ୟର ସହାୟକ ମୂଲ୍ୟ ବୃଦ୍ଧି କରିପାରନ୍ତି ସରକାର। ଶୁକ୍ରବାର ଏନେଇ ପୂର୍ବ ଭାରତ ରାଜ୍ୟ ସମୂହ ବୈଠକରେ କେନ୍ଦ୍ର ପାଖରେ ପ୍ରସ୍ତାବ ରଖିଛନ୍ତି ରାଜ୍ୟଗୁଡ଼ିକର ପ୍ରତିନିଧି ମଣ୍ଡଳୀ ।
କେନ୍ଦ୍ରରେ ନୂଆ ସରକାର ଗଠନ ହେବା ପରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ମୂଲ୍ୟ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର। ଧାନ କୁଇଣ୍ଟାଲ ୨୩୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ପୂର୍ବ ବର୍ଷର ଦର ଅପେକ୍ଷା ୧୧୭ ଟଙ୍କା ବୃଦ୍ଧି କରାଯାଇଥିଲା। ଧାନ ସହିତ ୧୪ଟି ଫସଲର ଦର ମଧ୍ୟ ବୃଦ୍ଧି କରାଯାଇଥିଲା। ୨୦୨୪-୨୫ ବର୍ଷ ପାଇଁ କେନ୍ଦ୍ର ସରକାର ଖରିଫ ଫସଲର ଏମଏସପିରେ ବୃଦ୍ଧି ହୋଇଥିଲା।
ପୁଣି ଧାନର ସହାୟକ ମୂଲ୍ୟ ବଢ଼ାଇପାରନ୍ତି କେନ୍ଦ୍ର ସରକାର, ସେ ନେଇ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି। ରାଜ୍ୟ ଅତିଥି ଭବନରେ ବସିଥିବା ବୈଠକରେ ସିଏସିପିର ଅଧ୍ୟକ୍ଷ ପ୍ରଫେସର ବିଜୟ ପଲ ଶର୍ମା ଯୋଗଦେଇଥିବା ବେଳେ ଓଡ଼ିଶା, ଛତିଶଗଡ଼, ବିହାର, ପଶ୍ଚିମବଙ୍ଗ ଏବଂ ଝାରଖଣ୍ଡର ପ୍ରତିନିଧି ମଣ୍ଡଳ ଯୋଗ ଦେଇଛନ୍ତି।
ଧାନ, ଗହମ, ଡାଲି ଓ ତୈଳ ଜାତୀୟ ଶସ୍ୟ କେଉଁ ରାଜ୍ୟରେ ଉତ୍ପାଦନ ଦର କେତେ ରହୁଛି ସେନେଇ ଏକ ତଥ୍ୟ କେନ୍ଦ୍ର ଆଗରେ ଉପସ୍ଥାପନା କରାଯାଇଛି। ଏହି ଅନୁପାତରେ ଏମ୍ଏସପିର ମୂଲ୍ୟ କେତେ ବୃଦ୍ଧି କରାଗଲେ ଚାଷୀ ଉପକୃତ ହୋଇପାରିବେ ସେନେଇ ଆଲୋଚନା ହୋଇଛି।
Powered by Froala Editor