ପଦ୍ମ ପୁରସ୍କାରକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସୋନୁ

କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୧୩୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଚଳିତ ବର୍ଷର ପଦ୍ମ ପୁରସ୍କାର ବିଜେତା ଭାବେ ଘୋଷଣା କରାଯାଇଥିଲା। ଏଥିରେ ୭ ପଦ୍ମ ବିଭୂଷଣ, ୧୯ ପଦ୍ମ ଭୂଷଣ ଏବଂ ୧୧୩ ପଦ୍ମଶ୍ରୀ ସମେତ ମୋଟ୍ ୧୩୯ ଜଣ ବ୍ୟକ୍ତିବିଶେଷଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ ପାଇଁ ଘୋଷଣା ହୋଇଛି। ତେବେ ଏହି ତାଲିକାକୁ ନେଇ ବିଶିଷ୍ଟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ସୋନୁ ନିଗମ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ମେସେଜ୍ ଜାରି କରି ଅସନ୍ତୋଷ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, କିପରି ସଙ୍ଗୀତ ଜଗତର କେତେକ ପ୍ରସିଦ୍ଧ ବ୍ୟକ୍ତିତ୍ବଙ୍କୁ ଏପର୍ଯ୍ୟନ୍ତ ଏହି ସମ୍ମାନ ମିଳିନାହିଁ। ଗାୟକମାନଙ୍କ ମଧ୍ୟରେ ବିହାରର କୋକିଳ କଣ୍ଠୀ ନାମରେ ପରିଚିତ ଶାରଦା ସିହ୍ନାଙ୍କୁ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିବାବେଳେ ଅରିଜିତ ସିଂହଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି।
କିଶୋର କୁମାର, ଅଲକା ୟାଗ୍ନିକ, ଶ୍ରେୟା ଘୋଷାଲ, ସୁନିଧି ଚୌହାନଙ୍କ ପରି ଅନେକ ଖ୍ୟାତନାମା ଭାରତୀୟ ସଙ୍ଗୀତଜ୍ଞଙ୍କୁ ଏବେ ମଧ୍ୟ ପଦ୍ମ ପୁରସ୍କାର ମିଳିନାହିଁ ବୋଲି ସେ କହିଛନ୍ତି। ସେହିପରି ପ୍ରଖ୍ୟାତ ସଙ୍ଗୀତଜ୍ଞ ମହମ୍ମଦ ରଫିଙ୍କୁ ଭାରତ ସରକାର କେବଳ ପଦ୍ମଶ୍ରୀ ସମ୍ମାନ ଦେଇ ବସିଯାଇଛନ୍ତି।
ସୋନୁ ଆହୁରି କହିଛନ୍ତି, ଅଲ୍କାଙ୍କର ସଙ୍ଗୀତ ଜଗତରେ ଲମ୍ବା କ୍ୟାରିୟର ରହିଛି। ଏହାସତ୍ତ୍ୱେ ମଧ୍ୟ ତାଙ୍କୁ ବର୍ତ୍ତମାନ ସୁଦ୍ଧା ଭାରତ ସରକାରଙ୍କ ପକ୍ଷରୁ କୌଣସି ସମ୍ମାନ ମିଳିନାହିଁ। ତେଣୁ ଭାରତ ସରକାର ସଙ୍ଗୀତଜ୍ଞମାନଙ୍କୁ ସେମାନଙ୍କର କଳା ଓ ସାମର୍ଥ୍ୟକୁ ଦୃଷ୍ଟିରେ ରଖି ସମ୍ମାନିତ କରିବାର ଆବଶ୍ୟକତା ରହିଛି।
୨୦୨୨ରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ସୋନୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।
Powered by Froala Editor