ବିଜେପି ନେତାଙ୍କ ମଧ୍ୟରେ ଗଙ୍ଗାରେ ଗାଧୋଇବା ପାଇଁ ପ୍ରତିଯୋଗିତା ଚାଲିଛି: ଖଡ଼ଗେ

ନୂଆଦିଲ୍ଲୀ: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବିଜେପି ନେତାଙ୍କ ମହାକୁମ୍ଭ ସ୍ନାନ କୁ ନେଇ ବଡ ବୟାନ ଦେଇଛନ୍ତି। ଗଙ୍ଗାରେ ଗାଧୋଇଲେ ଦାରିଦ୍ର୍ୟ ଦୂର ହୋଇପାରିବ କି ବୋଲି ଖଡଗେ ପ୍ରଶ୍ନ କରିଛନ୍ତି। ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଭାରତୀୟ ଜନତା ପାର୍ଟି ର ନେତାମାନେ କ୍ୟାମେରା ସାମ୍ନାରେ ଗାଧୋଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ମଧ୍ୟପ୍ରଦେଶର ମହୁରେ ଖଡଗେ କହିଛନ୍ତି, ବିଜେପି ନେତାମାନେ କ୍ୟାମେରାରେ ଭଲ ଦେଖାଯିବା ପର୍ୟ୍ୟନ୍ତ ଗାଧୋଉଛନ୍ତି। ଗଙ୍ଗାରେ ଗାଧୋଇବା ଦ୍ୱାରା ଦାରିଦ୍ର୍ୟ ଦୂର ହୋଇଥାଏ କି ?
ମୁଁ କାହାର ବିଶ୍ୱାସ ଉପରେ ପ୍ରଶ୍ନ କରିବାକୁ ଚାହୁଁନାହିଁ । ଯଦି କେହି ଅସନ୍ତୁଷ୍ଟ ହୋଇଛନ୍ତି ତେବେ ମୁଁ କ୍ଷମା ପ୍ରାର୍ଥନା କରୁଛି ବୋଲି ଖଡଗେ କହିଥିଲେ।ବିଜେପି ନେତାମାନଙ୍କ ମଧ୍ୟରେ ଗଙ୍ଗାରେ ଗାଧୋଇବା ପାଇଁ ପ୍ରତିଯୋଗିତା ଚାଲିଛି । ଗଙ୍ଗାରେ ଗାଧୋଇଲେ ଦାରିଦ୍ର୍ୟ ଦୂର ହେବ ନାହିଁ । କଂଗ୍ରେସ ଅଧ୍ୟକ୍ଷ ଆହୁରି କହିଛନ୍ତି, ମୋତେ କୁହନ୍ତୁ, ଯେତେବେଳେ କୌଣସି ପିଲା ଭୋକରେ ମରୁଛନ୍ତି, ସ୍କୁଲ ଯାଉନାହାନ୍ତି,
ଶ୍ରମିକମାନଙ୍କୁ ସେମାନଙ୍କର ପ୍ରାପ୍ୟ ମିଳୁନାହିଁ, ଏଭଳି ସମୟରେ ଏହି ଲୋକମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି ଏବଂ ପ୍ରତିଯୋଗିତାରେ ବୁଡ଼ି ଯାଉଛନ୍ତି । ଏଭଳି ଲୋକମାନେ ଦେଶ ପାଇଁ ଭଲ କରିପାରିବେ ନାହିଁ ବୋଲି ଖଡଗେ କହିଥିଲେ। ଭଗବାନଙ୍କ ଉପରେ ଆମର ବିଶ୍ୱାସ ରହିଛି - ଲୋକମାନେ ପ୍ରତିଦିନ ଘରେ ପ୍ରାର୍ଥନା କରନ୍ତି, ସମସ୍ତ ମହିଳା ପୂଜା କରିବା ପରେ ଘରୁ ବାହାରକୁ ଆସନ୍ତି, କୌଣସି ଅସୁବିଧା ନାହିଁ ।
କିନ୍ତୁ ଧର୍ମ ନାଁରେ ଗରିବଙ୍କୁ ଶୋଷଣ କରାଯାଉଥିବାରୁ ଆମର ସମସ୍ୟା ରହିଛି ।ମହାକୁମ୍ଭ ଚାଲିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ସ୍ନାନ କରିବାର କିଛି ଘଣ୍ଟା ପରେ ଖଡଗେ ଏହି ମନ୍ତବ୍ୟ ଦେଇଛନ୍ତି । ସେପଟେ ଖଡଗେଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି ସାଂସଦ ସମ୍ବିତ ପାତ୍ର କହିଛନ୍ତି, ପୂର୍ବରୁ ସେମାନେ କହିଥିଲେ ଯେ, ସେମାନେ କ୍ଷମତାକୁ ଆସିଲେ ସନାତନକୁ ଶେଷ କରିଦେବେ । ରାହୁଲ ଗାନ୍ଧି ଇଟାଲୀ ଯାଇ ଗାଧୋଇପାରିବେ, ଆମର କୌଣସି ଆପତ୍ତି ନାହିଁ। ମା' ଗଙ୍ଗାଙ୍କ ବିରୋଧରେ ଏଭଳି ଶବ୍ଦ ପ୍ରୟୋଗ କରିବା ଠିକ୍ ନୁହେଁ। ସନାତନ ଧର୍ମ ବିରୋଧରେ ଏଭଳି ଶବ୍ଦ ଓ ବୟାନ ନିନ୍ଦନୀୟ ।
Powered by Froala Editor