ମୁଖ୍ୟମନ୍ତ୍ରୀ କରିବେ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା
ଭୁବନେଶ୍ବର: ଆସନ୍ତା ଜୁଲାଇ ୧୨ରେ ମହାପଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଥିବାବେଳେ ୮ ତାରିଖରେ ସେଥିଲାଗି ହୋଇଥିବା ପ୍ରସ୍ତୁତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବେ । ର ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ଉକ୍ତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଆଇନ ମନ୍ତ୍ରୀ, ମୁଖ୍ୟଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ପୋଲିସ ମହାନିର୍ଦ୍ଦେଶକ, ସେବାୟତ, ଅନ୍ୟଅଧିକାରୀମାନେ ସାମିଲ ହେବେ । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କୋଭିଡ୍ କଟକଣା ଭିତରେ ତଥା ସୀମିତ ସେବାୟତ ଓ ପୋଲିସ କର୍ମଚାରୀଙ୍କ ମାଧ୍ୟମରେ ରଥ ଟାଣିବାର ବ୍ୟବସ୍ଥା ହେବ । ଭକ୍ତଙ୍କୁ ଅନୁମତି ମିଳିବ ନାହିଁ । କାରଣ କରୋନାର ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ସଂକ୍ରମଣ ହାର ଅଧିକ ଥିବାରୁ କୋଭିଡ୍ କଟକଣାକୁ ଅଧିକ କଡ଼ାକଡ଼ି କରାଯିବ ।
ରଥଯାତ୍ରା କିପରି ଶୃଙ୍ଖଳିତ ଓ ସୁରୁଖୁରୁରେ ଶେଷ ହେବ ସେନେଇ ବୈଠକରେ ବିସ୍ତୃତ ଆଲୋଚନା ହେବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ କାର୍ୟ୍ୟ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ଜଣେ ବରିଷ୍ଠ ପଦାଧିକାରୀ ସୂଚନା ଦେଇଛନ୍ତି ।
Powered by Froala Editor