ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ
ଭୁବନେଶ୍ବର: ଜନତା ମୈଦାନରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଆନୁଷ୍ଠାନିକ ଭାବେ ଆଜି ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନତା ମଇଦାନରେ ଧାର୍ୟ୍ୟ ସମୟ ପୂର୍ବାହ୍ନ ୧୦ଟାରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବୈଦେଶୀକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଉପସ୍ଥିତ ରହିଛନ୍ତି । ଏହାସହ ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟମାନେ କାର୍ୟ୍ୟକ୍ରମରେ ସାମିଲ ରହିଛନ୍ତି । ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟମାନେ ମଧ୍ୟ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଅଛନ୍ତି । ସମସ୍ତ ପ୍ରବାସୀ ଅତିଥୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବା ସହ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ।
ପ୍ରବାସୀ ଭାରତୀୟ ଏକ୍ସପ୍ରେସ ଏକ ସ୍ୱତନ୍ତ୍ର ଅତ୍ୟାଧୁନିକ ପର୍ୟ୍ୟଟନ ଟ୍ରେନ୍, ଯାହାକି ବିଶେଷ ଭାବରେ ଭାରତୀୟ ବଂଶୋଦ୍ଭବ ଏବଂ ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି।କେବଳ ୪୫ରୁ ୬୫ ବର୍ଷ ବୟସର ପ୍ରବାସୀ ଭାରତୀୟ ଏହି ଟ୍ରେନରେ ଯାତ୍ରା କରିପାରିବେ। ଦେଶର ବିଭିନ୍ନ ପର୍ୟ୍ୟଟନ ଓ ଧାର୍ମିକ ସ୍ଥଳୀକୁ ଯାଇ ଦର୍ଶନ କରିପାରିବେ। ଏହି ଯାତ୍ରାର ସମୟ ଅବଧି ହେଉଛି ୩ ସପ୍ତାହ। ଏହି ଏକ୍ସପ୍ରେସରେ ଯାଇ ପ୍ରବାସୀ ଭାରତୀୟମାନେ ଅଯୋଧ୍ୟା, ପାଟଣା, ଗୟା, ବାରାଣସୀ, ମହାବଳୀପୁରମ, ରାମେଶ୍ୱରମ, ମଦୁରାଇ, କୋଚି, ଗୋଆ, ଏକତା ନଗର(କେଭାଡିଆ), ଆଜମେର, ପୁଷ୍କର ଏବଂ ଆଗ୍ରା ଆଦି ଦର୍ଶନୀୟ ସ୍ଥାନ ଦେଖିପାରିବେ। ଏହି ଟ୍ରେନର ସର୍ବାଧିକ ଯାତ୍ରୀ କ୍ଷମତା ହେଉଛି ୧୫୬। ବୈଦେଶିକ ମନ୍ତ୍ରଣାଳୟର ପ୍ରବାସୀ ତୀର୍ଥ ଦର୍ଶନ ଯୋଜନା ଅଧୀନରେ ଏହି ପ୍ରକଳ୍ପ କାର୍ୟ୍ୟକାରୀ ହେଉଛି।
ପ୍ରବାସୀ ଭାରତୀୟ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି " ଓଡ଼ିଶାର ମହାନ ମାଟି ହେଉଛି ଭାରତର ସମୃଦ୍ଧିର ପ୍ରତୀକ । ଓଡ଼ିଶାରେ ପ୍ରତିଟି ପାଦରେ ଐତିହାସିକ କୀର୍ତ୍ତିମାନ ରହିଛି । ଖଣ୍ଡଗିରି ଉଦୟଗିରି ଗୁମ୍ଫା ହେଉ ଅବା କୋଣାର୍କ ସୂର୍ୟ୍ୟ ମନ୍ଦିର ବା ତାମ୍ର ଲିପି ଦେଖିଲେ ଯେ କେହେବି ଗର୍ବ କରିବ । ପୂର୍ବରୁ ଓଡ଼ିଆମାନେ ଦୂରଦେଶକୁ ବାଣିଜ୍ୟ ପାଇଁ ଯାଉଥିଲେ । ଓଡ଼ିଶାରେ ବାଣିଜ୍ୟ କାରବାର ବାର୍ଲି, ସୁମାତ୍ରା, ଜାଭା ଯାଏଁ ହେଉଥିଲା । ଯାହାର ସମ୍ପୃତିରେ ବାଲିଯାତ୍ରା ଆୟୋଜନ ହେଉଛି । ଓଡିଶାରେ ରହିଛି ଧଉଳୀ ଶାନ୍ତିସ୍ତୁପ । ଯାହା ଶାନ୍ତିର ବଡ଼ ପ୍ରତୀକ । ଦୁନିଆରେ ଯେତେବେଳେ ତଲୱାରର ବଳରେ ସାମ୍ରାଜ୍ୟ ବୃଦ୍ଧି କରାଯାଉଥିଲା, ସେହି ସମୟରେ ସମ୍ରାଟ ଅଶୋକ ଶାନ୍ତିର ରାସ୍ତା ବାଛିଥିଲେ । ଏହିସବୁ ପ୍ରେରଣା ଦ୍ବାରା ଆଜି ଭାରତ ଦୁନିଆକୁ କହିପାରୁଛି ଯେ, ଭବିଷ୍ୟତ ଯୁଦ୍ଧରେ ନୁହେଁ, ବୁଦ୍ଧରେ ଅଛି । ଓଡ଼ିଶା ମାଟିରେ ଆପଣଙ୍କୁ ସ୍ବାଗତ କରିବା ମୋ ପାଇଁ ଗର୍ବର ବିଷୟ । "
Powered by Froala Editor