୮ ବର୍ଷ ପରେ ଅଲଗା ହେଲେ ଆଞ୍ଜେଲିନା ଜୋଲି-ବ୍ରାଡ୍ ପିଟ୍

ହଲିଉଡ ତାରକା ବ୍ରାଡ ପିଟ ଏବଂ ଆଞ୍ଜେଲିନା ଜୋଲି ୮ ବର୍ଷର ପରେ ପରସ୍ପରକୁ ଛାଡପତ୍ର ଦେଇଛନ୍ତି। ଉଭୟଙ୍କ ମଧ୍ୟରେ ଏହି ଛାଡପତ୍ର ବହୁ ବର୍ଷ ଧରି ଚର୍ଚ୍ଚାର ବିଷୟ ପାଲଟିଥିଲା। ଆଞ୍ଜେଲିନା ଜୋଲି ଏବଂ ବ୍ରାଡ୍ ପିଟ୍ ୨୦୧୪ରେ ବିବାହ କରିଥିଲେ ଏବଂ ୨୦୧୬ରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ୨ ବର୍ଷର ବିବାହ ପରେ ୮ ବର୍ଷ ଧରି ଚାଲିଥିବା ମାମଲା ସମସ୍ତଙ୍କୁ ଚକିତ କରି ଦେଇଥିଲା।
ଅଭିନେତ୍ରୀଙ୍କ ଓକିଲ ଜେମ୍ସ ସାଇମନ କହିଛନ୍ତି, ୮ ବର୍ଷରୁ ଅଧିକ ସମୟ ପୂର୍ବରୁ ଆଞ୍ଜେଲିନା ଛାଡପତ୍ର ପାଇଁ ଆବେଦନ କରିଥିଲେ। ଜୋଲି ୧୯ ସେପ୍ଟେମ୍ବର ୨୦୧୬ରେ ପିଟଙ୍କ ଠାରୁ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଏହା ଏକ ଦୀର୍ଘ ପ୍ରକ୍ରିୟାର ଏକ ଅଂଶ ଯାହା ୮ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ଏବେ ଆଞ୍ଜେଲିନା ଆଶ୍ୱସ୍ତି ପାଇଛନ୍ତି।
୨୦୧୬ରେ ଏକ ଘରୋଇ ବିମାନରେ ଉଭୟଙ୍କ କଳହ ଘଟିଥଲା। ପିଟ ତାଙ୍କ ପିଲାଙ୍କ ମଧ୍ୟରୁ ଜଣକୁ ଚାପୁଡ଼ା ମାରିଥିଲେ। ଏଥିସହ ସେ ଜୋଲିଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିବା ମଧ୍ୟ ଦାବି କରାଯାଇଥିଲା। ଏହା ପରେ ଦୁହିଁଙ୍କ ମଧ୍ୟରେ ବିବାଦ ଆହୁରି ଗଭୀର ହୋଇଥିଲା। ୨୦୧୮ରେ ଜୋଲି ବ୍ରାଡଙ୍କୁ ଦୋଷାରୋପ କରିଥିଲେ ଯେ ଅଲଗା ହେବା ପରେ ପିଲାମାନଙ୍କୁ ଆବଶ୍ୟକ ତଥା ଅର୍ଥପୂର୍ଣ୍ଣ ସହାୟତା ପ୍ରଦାନ କରୁନାହାଁନ୍ତି। ତେବେ ଅଭିନେତାଙ୍କ ଓକିଲ ଏହି ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି।
Powered by Froala Editor