ଟ୍ରେନ ଚକ ତଳେ ୨୫୦ କିଲୋମିଟର ଯାତ୍ରା
ଦାରିଦ୍ର୍ୟତା ମଣିଷକୁ କେଉଁ ପରିସ୍ଥିତିରେ ଆଣି ଛାଡି ଦିଏ । ଯାହାର ଉଦାହରଣ ଆମେ ଜଣେ ଜଣେ ଯୁବକକୁ ଦେଖିଲେ ଜାଣିପାରିବା । ଟିକେଟ କରିବାକୁ ଅର୍ଥ ନ ଥିବାରୁ ଜଣେ ଯୁବକ ଟ୍ରେନ ବଗି ତଳେ ଶୋଇ ରହି ବିପଦପୂର୍ଣ୍ଣ ଅବସ୍ଥାରେ ଯାତ୍ରା କରିଛନ୍ତି। ତାହା ପୁଣି ଦୀର୍ଘ ୨୫୦ କିଲୋମିଟର। ଏହି ଭିଡିଓ ୨୪ ଡିସେମ୍ବରର ବୋଲି କୁହାଯାଉଛି। ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ପରେ ବର୍ତ୍ତମାନ ରେଳବାଇ ଏ ସମ୍ପର୍କରେ ଏକ ବିବୃତ୍ତି ଦେଇଛି। ରେଳ ମନ୍ତ୍ରଣାଳୟ ଏହି ଭିଡିଓକୁ ବିଭ୍ରାନ୍ତିକର ବୋଲି କହିଛି।
ଗତ ୨୪ ତାରିଖ ଦିନ ଇତାରସି-ଜବଲପୁର ଦାନପୁର ଏକ୍ସପ୍ରେସ ଜବଲପୁର ଷ୍ଟେସନରେ ପହଞ୍ଚିଥିଲା। ଟ୍ରେନ ଧୀରେ ଧୀରେ ଯାଉଥିବା ସମୟରେ ରେଳ କର୍ମଚାରୀ ଟ୍ରେନର ନିୟମିତ ତଦାରଖ କରିଥିଲେ। ଏହି ସମୟରେ ଏକ ବଗି ତଳେ ଚକକୁ ଲାଗି ଜଣେ ଯୁବକ ଶୋଇଥିବା ଦେଖିବାକୁ ପାଇଥିଲେ। ଏହା ପରେ ସେ ତୁରନ୍ତ ଲୋକ ପାଇଲଟଙ୍କୁ ଟ୍ରେନ ଅଟକାଇବାକୁ କହିଥିଲେ। ଟ୍ରେନ ଅଟକିବା ପରେ ଉକ୍ତ ଯୁବକଙ୍କୁ ବାହାରକୁ ଆସିବାକୁ ରେଳ କର୍ମଚାରୀ ଜଣକ କହିଥିଲେ।
ରେଳ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଭିଡିଓରେ ଚକର ଏକ୍ସଲରେ ବସିଥିବା ବ୍ୟକ୍ତି ମାନସିକ ସ୍ତରରେ ଅକ୍ଷମ ଏବଂ ସେଠାରେ ବସି ୨୫୦ କିଲୋମିଟର ଯାତ୍ରା କରିଥିବା ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ। ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ଟ୍ରେନର ଚକ ସେଟ୍ କ୍ରମାଗତ ଭାବରେ ଗତି କରେ ଏବଂ ଏଥିରେ କେହି ବସିପାରିବେ ନାହିଁ। ଭାଇରାଲ୍ ଭିଡିଓରେ ଦିଆଯାଇଥିବା ଦାବି ସଂପୂର୍ଣ୍ଣ ବିଭ୍ରାନ୍ତିକର ଏବଂ ଭିତ୍ତିହୀନ। ଯୁବକଙ୍କ ଟ୍ରେନ ଯାତ୍ରାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଯାହାକୁ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।
Powered by Froala Editor