ବଡ଼ ଖବର, ଛାତ ଉପରେ ରଥଯାତ୍ରା ଦେଖିବା ମନା
ପୁରୀ: ପୁରୀ ରଥଯାତ୍ରା ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଚଳିତ ବର୍ଷ ପୁରୀ ବଡ଼ଦାଣ୍ଡରେ ଛାତ ଉପରେ ରଥଯାତ୍ରା ଦେଖିବା ମନା । ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ଘର ଛାତ ଉପରେ କେହି ରଥଯାତ୍ରା ଦେଖିପାରିବେ ନାହିଁ । ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି ଜିଲ୍ଲା ପ୍ରଶାସନ । ରଥଯାତ୍ରା ବେଳେ ଘର ଭିତରେ ରହିବେ ଶ୍ରଦ୍ଧାଳୁ । ବଡ଼ଦାଣ୍ଡରେ ଥିବା ହୋଟେଲ ସର୍ଭେ କରି ଖାଲି କରାଯିବ । ଗୋଟିଏ ରାତି ପୂର୍ବରୁ ଓ ପରଦିନ ଅପରାହ୍ନ ପର୍ଯ୍ୟନ୍ତ କର୍ଫୁ୍ୟ ବଳବତ୍ତର ରହିବ ।
ରଥଟଣା ବେଳେ ବଡ଼ଦାଣ୍ଡ ଉଭୟ ପାଶ୍ୱର୍ରେ ଥିବା ଘର ଉପର ବାଲ୍କୋନିରେ ବସି ସ୍ଥାନୀୟ ବାସିନ୍ଦାମାନେ ରଥଯାତ୍ରା ଦେଖି ପାରିବେ ନାହିଁ । ରଥଯାତ୍ରା ପାଇଁ ଏଭଳି କଟକଣା ଜାରି କରାଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ଶୁକ୍ରବାର ଅନୁଷ୍ଠିତ ବିଭିନ୍ନ ସେବାୟତ ନିଯୋଗର ବୈଠକ ବେଳେ ଖୁଣ୍ଟିଆ ନିଯୋଗର କର୍ମକର୍ତ୍ତାମାନେ ମଧ୍ୟ ଏଭଳି ଦାବି କରିଥିଲେ । ଜିଲ୍ଲାପାଳଙ୍କ ସହ ଖୁଣ୍ଟିଆ ନିଯୋଗର ଆଲୋଚନା ବେଳେ ଏହି ପ୍ରସ୍ତାବ ବି ଆସିଥିଲା । ଜବାବରେ ଜିଲ୍ଲାପାଳ କହିଥିଲେ ବଡ଼ଦାଣ୍ଡରେ ଉଭୟ ପାଶ୍ୱର୍ସ୍ଥିତ ଘର ବାଲ୍କୋନିରେ ରଥଟଣା ଦେଖିବାକୁ ମନା କରାଯିବ ।
ପୂର୍ବବର୍ଷ ଭଳି ଏହି କଟକଣା ଲାଗୁ ହେବ । ରାଜ୍ୟ ସରକାର ବିଭିନ୍ନ ଟେଲିଭିଜନ ଚ୍ୟାନେଲ ଜରିଆରେ ରଥଯାତ୍ରା ରଥଟଣାର ସିଧା ପ୍ରସାରଣ କରିବାର ବ୍ୟବସ୍ଥା କରିଛନ୍ତି ।ଖୁଣ୍ଟିଆ ନିଯୋଗ ମୁଖ୍ୟ ହଜୁରି କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି ବାଲ୍କୋନି ଉପରେ ବସି ରଥଟଣା ଦେଖିଲେ ଲୋକଙ୍କ ପ୍ରତି ପାତରଅନ୍ତର ହେବ । ଏହି ଆଧାରରେ ନିଯୋଗର ଏହି ପ୍ରସ୍ତାବକୁ ଜିଲ୍ଲାପାଳ ଗ୍ରହଣ କରିଥିଲେ । ଏହା ବ୍ୟତୀତ ନିଯୋଗ ପ୍ରସ୍ତାବ ଦେଇଥିଲା ଖରା ଦାଉରୁ ରକ୍ଷା ପାଇବା ପାଇଁ ରଥ ଉପରେ ଏବଂ ରଥ ଟାଣୁଥିବା ସେବାୟତଙ୍କୁ ଧଳା ଗାମୁଛା ଦିଆଯାଉ ।
Powered by Froala Editor