ମୋଦୀଙ୍କୁ ମିଳିଲା କୁଏତର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ମୁବାରକ୍ ଅଲ୍ କବୀର’
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ମୁବାରକ୍ ଅଲ୍ କବୀର’ ପ୍ରଦାନ କରାଯାଇଛି । ଏହି ଉତ୍ସବରେ କୁଏତର ଏମିର ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ଜବର ଅଲ ସାବ ମଧ୍ୟ ଉପସ୍ଥିତ ଥିଲେ।
ରବିବାର କୁଏତର ବାୟାନ୍ ପ୍ୟାଲେସରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଏହାପରେ କୁଏତ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହାର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ୍ ମୁବାରକ୍ ଅଲ୍ କବୀରରେ ସମ୍ମାନିତ କରିଥିଲେ। ବାୟାନ୍ ପ୍ୟାଲେସ କୁଏତରେ ଶକ୍ତିର ପ୍ରତୀକ ଏବଂ ଅନେକ ଦେଶର ଦୂତାବାସ ମଧ୍ୟ ଏଠାରେ ଅଛି ।
ଦୁଇଦିନିଆ କୁଏତ୍ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସେଠାରେ ଅନୁଷ୍ଠିତ ‘ହାଲା ମୋଦି’ ଡାଏସ୍ପୋରା କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ଭେଟି ଆଲୋଚନା କରିଛନ୍ତି। ‘ନୂଆ କୁଏତ୍’ ନିର୍ମାଣ ପାଇଁ ଭାରତ ପାଖରେ ଆବଶ୍ୟକ ମାନବ ସମ୍ବଳ, ଦକ୍ଷତା ଓ ପ୍ରଯୁକ୍ତି ରହିଥିବା ସେ କହିଛନ୍ତି। କୁଏତ୍ ଅମିର ଶେଖ୍ ମେଶାଲ ଅଲ୍-ଅହମଦ ଅଲ୍-ଜାବେର ଅଲ୍-ସବାହଙ୍କ ଆମନ୍ତ୍ରଣକ୍ରମେ ୪୩ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ସେଠାକୁ ଯାଇଛନ୍ତି। ତାଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସମ୍ପର୍କକୁ ମଜଭୁତ କରିବ ବୋଲି ଆଶା କରାଯାଉଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦିଆଯାଇଥିବା ଏହା ହେଉଛି ୨୦ତମ ଅନ୍ତର୍ଜାତୀୟ ସମ୍ମାନ। ଏହା ବିଦେଶୀ ରାଷ୍ଟ୍ରମୁଖ୍ୟ ଏବଂ ବିଦେଶୀ ରାଜ ପରିବାରର ସଦସ୍ୟମାନଙ୍କୁ ପ୍ରଦାନ କରାଯାଏ । ପୂର୍ବରୁ ବିଲ୍ କ୍ଲିଣ୍ଟନ୍, ପ୍ରିନ୍ସ ଚାର୍ଲ୍ସ ଓ ଜର୍ଜ ବୁଶଙ୍କ ଭଳି ବିଦେଶୀ ନେତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
Powered by Froala Editor