୪ ମାସ ପରେ ପଦରୁ ଇସ୍ତଫା ଦେଲେ ବିଜେପି ନେତା ତୀରଥ ସିଂହ ରାୱତ
ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୪ ମାସ ପରେ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେପି ନେତା ତୀରଥ ସିଂହ ରାୱତ। ସେ ରାଜ୍ୟପାଳ କିମ୍ବା ଗଣମାଧ୍ୟମ ଆଗରେ ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିବା ପୂର୍ବରୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଏହା ଜଣାଇଛନ୍ତି। ଏଥିସହ ସେ ନଡ୍ଡାଙ୍କୁ ଦିଲ୍ଲୀରେ ଇସ୍ତଫାପତ୍ର ଦେବା ପରେ ଡେରାଡୁନ ଫେରିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ ସାମ୍ବିଧାନିକ ସଙ୍କଟ ଦେଖାଦେଇଛି। ତେଣୁ ତାଙ୍କର ଇସ୍ତଫା ଗ୍ରହଣ କରାଯିବା ଉଚିତ୍।
ଅନ୍ୟପକ୍ଷରେ ତୀରଥ ସିଂହ ରାୱତ ଇସ୍ତଫା ଦେଇଥିବାରୁ ବିଜେପି ଏବେ ଆଉ ଜଣଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ କରିପାରେ। ସେ ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ଯାଏ ଏହି ପଦରେ ରହିବେ। ଆସନ୍ତାକାଲି ଏହାର ନିଷ୍ପତ୍ତି ନେବାକୁ ବିଜେପି ବିଧାୟକ ଦଳ ବୈଠକ ବସିବ। ଏହାକୁ ପରିଚାଳନା କରିବାକୁ ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଡେରାଡୁନରେ ପହଞ୍ଚିବେ। ଦଳୀୟ ହାଇକମାଣ୍ଡ ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅପରାହ୍ନ ୩ଟାରେ ବିଧାୟକ ଦଳ ବୈଠକ ବସିବ। ଏହାର ଅଧ୍ୟକ୍ଷତା ବିଜେପିର ରାଜ୍ୟ ମୁଖ୍ୟ ମଦନ କୌଶିକ କରିବେ। ବୈଠକରେ ହରକ ସିଂହ ରାୱତ, ସତପାଲ ମହାରାଜ ଓ ଧନ ସିଂହ ରାୱତଙ୍କ ମଧ୍ୟରୁ ଜଣଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଧିବଦ୍ଧ ନିଷ୍ପତ୍ତି ନିଆଯିବ।
Powered by Froala Editor