ହନିମୁନ କଥାକୁ ନେଇ ଝଗଡ଼ା : ଜ୍ୱାଇଁକୁ ଏସିଡ୍ ଫିଙ୍ଗିଲେ ଶ୍ୱଶୁର
ଝିଅ ପାଇଁ ଜ୍ୱାଇଁ ବାଛିଥିବା ହନିମୁନର ସ୍ଥାନଟି ଶ୍ୱଶୁରଙ୍କୁ ପସନ୍ଦ ଆସି ନଥିଲା। ଏହି ସାମାନ୍ୟ କାରଣ ପାଇଁ ଶ୍ୱଶୁର ଜ୍ୱାଇଁଙ୍କ ଉପରେ ଭୟଙ୍କର ଏସିଡ୍ ଆକ୍ରମଣ କରିଛନ୍ତି। ଶ୍ୱଶୁରଙ୍କ ଆକ୍ରମଣରେ ନୂଆ କରି ବାହା ହୋଇଥିବା ୨୯ ବର୍ଷୀୟ ଯୁବକ ଜଣଙ୍କ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମହାରାଷ୍ଟ୍ରର ଥାଣେରେ ଏପରି ଘଟଣା ଘଟିଛି।
ଇବାଦ୍ ଫାଲକେ କିଛିଦିନ ତଳେ ଜାକି ଖୋଟାଲଙ୍କ ଝିଅକୁ ବିବାହ କରିଥିଲେ। ଇବାଦ୍ ହନିମୁନ୍ରେ କାଶ୍ମୀର ଯିବାକୁ ଚାହୁଁଥିବାବେଳେ ଶ୍ୱଶୁର ଜାକି ଖୋଟାଲ ଚାହୁଁଥିଲେ ଯେ ନବ ବିବାହିତ ଦମ୍ପତି ମକ୍କା-ମଦିନାକୁ ଯାଇ ପ୍ରାର୍ଥନା କରନ୍ତୁ। ଗତ କିଛି ଦିନ ହେବ ଏହି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଗୁରୁବାର ରାତି ପ୍ରାୟ ୮ଟା ସମୟରେ ଯେତେବେଳେ ଇବାଦ୍ ତାଙ୍କ ଘର ଆଡ଼କୁ ଯାଉଥିଲେ, ଜାକି ଖୋଟାଲ ତାଙ୍କୁ ଅଟକାଇଥିଲେ। ଯୁକ୍ତିତର୍କ ବେଳେ ଜାକି ହଠାତ୍ ତାଙ୍କ ସହିତ ଆଣିଥିବା ଏସିଡ୍ ଫିଙ୍ଗି ଘଟଣାସ୍ଥଳରୁ ପଳାଇ ଯାଇଥିଲେ।
କଲ୍ୟାଣ ଅଞ୍ଚଳରେ ଥିବା ବଜାରପେଠ ପୁଲିସ୍ ଷ୍ଟେସନର ଇନସପେକ୍ଟର ଏସ୍ଆର ଗୌଡ କହିଛନ୍ତି, ଏସିଡ ମାଡ଼ରେ ଆହତ ୨୯ ବର୍ଷୀୟ ଇବାଦ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଶ୍ୱଶୁର ୬୫ ବର୍ଷୀୟ ଜାକି ଖୋଟାଲ ଫେରାର ରହିଛନ୍ତି। ଏସିଡ ମାଡ଼ରେ ଇବାଦ୍ ଙ୍କ ମୁହଁ ଓ ଶରୀରର ପୋଡ଼ି ଯାଇଛି। ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଡାକ୍ତରମାନେ କହିଛନ୍ତି।
Powered by Froala Editor