ବାପା, ମା’, ଭଉଣୀକୁ ହତ୍ୟା କରି ପୁଅ ରଚିଥିଲା ନାଟକ

ଦିଲ୍ଲୀର ନବସରାଇରେ ବାପା, ମାଆ ଓ ବଡ଼ ଭଉଣୀଙ୍କୁ ହତ୍ୟା କରିଥିଲେ ଖୋଦ୍ ପୁଅ ଅର୍ଜୁନ । ହତ୍ଯା କରି ମିଛ ନାଟକ ରଚିଥିଲା। ହତ୍ଯାର କିଛି ସମୟ ପରେ ପୁଅକୁ ଗିରଫ କରିଛି ପୁଲିସ।
ସୂଚନା ଅନୁଯାୟୀ, ଅର୍ଜୁନ କୁମାର (୨୦) ଦିଲ୍ଲୀ ବିଶ୍ବବିଦ୍ୟାଳୟରେ କଳାର ଛାତ୍ର ଥିଲା । ସେ ବକ୍ସିଂରେ ପାରଙ୍ଗମ ଥିଲା । ଅର୍ଜୁନ ପାଠ ପଢ଼ୁ ନଥିବା ଯୋଗୁ ତାଙ୍କ ବାପା ରାଜେଶ କୁମାର (୫୧) ତାଙ୍କୁ ସବୁବେଳେ ଗାଳି କରୁଥିଲେ। ନିକଟରେ ତାଙ୍କ ବାପା ତାଙ୍କୁ ପଡ଼ୋଶୀଙ୍କ ସମ୍ମୁଖରେ ବହୁତ ଗାଳି କରିଥିଲେ। ଏମିତିକି ମାଡ଼ ମଧ୍ୟ ମାରି ଥିଲେ। ଏହାକୁ ନେଇ ଅର୍ଜୁନ ଖୁବ୍ ରାଗି ଯାଇଥିଲେ।
ବାପାଙ୍କ ସହିତ ସେ ତାଙ୍କ ମା’ କୋମଲ (୪୬) ଓ ବଡ଼ ଭଉଣୀ କବିତା (୨୩) ଙ୍କୁ ମାରିବା ପାଇଁ ଯୋଜନା କରିଥିଲେ। କାରଣ ତାଙ୍କ ମା’ ଓ ଭଉଣୀ ମଧ୍ୟ ତାଙ୍କୁ ସହଯୋଗ କରୁ ନଥିବା ସେ ଭାବୁ ଥିଲେ। ତାଙ୍କୁ ପରିବାରରେ ସମସ୍ତେ ଅବହେଳା କରୁଥିଲେ ବୋଲି ସେ ମନେ କରୁଥିଲେ। ସେହିପରି ତାଙ୍କ ବାପା ତାଙ୍କର ସମସ୍ତ ସମ୍ପତ୍ତି ଝିଅ କବିତା ନାଁରେ କରି ଦେବେ ବୋଲି କାହାକୁ କହିଥିବା ଅର୍ଜୁନ ଶୁଣିଥିଲେ। ତେଣୁ ସେ ପୂରା ଯୋଜନାବଦ୍ଧ ଭାବେ ତାଙ୍କ ବାପା,ମାଆ ଓ ବଡ଼ ଭଉଣୀଙ୍କୁ ହତ୍ୟା କରିଛନ୍ତି।
ବଡ଼କଥା ହେଉଛି ମର୍ଣ୍ଣିଂଓ୍ବାକରୁ ଫେରି ହତ୍ଯା ସମ୍ପର୍କରେ ପୁଲିସ ଓ ମାମୁଁଙ୍କୁ ଅଭିଯୁକ୍ତ ସୂଚନା ଦେବା ସହ କେହି ଦୁର୍ବୃତ୍ତ ହତ୍ଯାକାଣ୍ଡ ଘଟାଇଛି ବୋଲି ଦର୍ଶାଇଥିଲା ଅର୍ଜୁନ। ସମସ୍ତେ ଶୋଇଥିବା ଅବସ୍ଥାରେ ସେମାନଙ୍କୁ ସେ ହତ୍ଯା କରିଥିଲା । ବାପା, ମାଆଙ୍କ ବିବାହ ବାର୍ଷିକୀ ଦିନ ହିଁ ସେ ଏହି ହତ୍ଯାକାଣ୍ଡ ଘଟାଇବା ଲାଗି ଯୋଜନା କରିଥିଲା।
ପ୍ରଥମେ ଅର୍ଜୁନ ବିଭିନ୍ନ ନାଟକବାଜି କରିଥିଲା । ତେବେ ପୁଲିସ ସିସିଟିଭି ଯାଞ୍ଚ କରିବା ପରେ ଜଣାଯାଇଥିଲା ଯେ ଘର ଭିତରକୁ କୌଣସି ବାହାର ବ୍ଯକ୍ତି ପ୍ରବେଶ କରିନାହାନ୍ତି । ଜେରା ସମୟରେ ଅର୍ଜୁନ ଅନେକ ବିଭ୍ରାନ୍ତିମୂଳକ ଯୁକ୍ତି କରିଥିବାରୁ ପୁଲିସର ସନ୍ଦେହ ଘନୀଭୂତ ହୋଇଥିଲା। ପରେ ତାକୁ ଗିରଫ କରାଯାଇଥିଲା।
Powered by Froala Editor