ଆକଟ କଲେ ମହିଳା: ପୋଖରୀକୁ ଡେଇଁ ପଡ଼ିଲା ଶିଶୁପୁତ୍ର
ପାଟଣା: ସାଙ୍ଗମାନଙ୍କ ସହ ଗାଁ ଦାଣ୍ଡରେ ଖେଳୁଥିଲା । ପୋଷାକ ଧୂଳିରେ ଭର୍ତ୍ତି ହୋଇଯାଇଥିଲା । ଦେହ ସାରା ମାଟି ଲାଗିଥିଲା । ଏହା ଦେଖିବା ପରେ ଆକଟ କରିଥିଲେ ଜନୈକ ମହିଳା । ବାଡ଼ି ଧରି ମାରିବାକୁ ଗୋଡ଼ାଇ ଥିଲେ । ଏଥିରେ ଭୟଭୀତ ହୋଇଯାଇଥିଲା ଶିଶୁପୁତ୍ର । ବାଡ଼ି ପଟକୁ ଦୌଡ଼ିଥିଲା । ଆଉ ଶେଷରେ ସେଠାରେ ଥିବା ଏକ ପୋଖରୀକୁ ଡେଇଁ ପଡ଼ିଥିଲା । କିଛି ସମୟ ପରେ ମିଳିଥିଲା ମୃତଦେହ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସଡଙ୍ଗବାହାଳି ଗ୍ରାମରେ । ମୃତକ ହେଲେ ସୁଦର୍ଶନ ମୁଣ୍ଡାଙ୍କ ୩ ବର୍ଷର ପୁଅ ।
ଶିଶୁପୁତ୍ରର ମା’ ରଶ୍ମିତା ମୁଣ୍ଡାଙ୍କ କହିବା ଅନୁଯାୟୀ, ପୁଅ ବୁଧବାର ସନ୍ଧ୍ୟାରେ ଗାଁ ଦାଣ୍ଡରେ ଖେଳୁଥିବା ଉକ୍ତ ମହିଳା ଜଣଙ୍କ ପାଟି କରିଥିଲେ । ଧୂଳିରେ ନଖେଳି ଘରକୁ ଯିବାକୁ ତାଗିଦ୍ କରିଥିଲେ । ଏଥିରେ ଶିଶୁପୁତ୍ର ଭୟଭୀତ ହୋଇଯାଇଥିଲା । ବାଡ଼ିପଟ ପୋଖରୀକୁ ପଶି ଯାଇଥିଲା । କିଛି ସମୟ ପରେ ପରିବାର ଲୋକେ ଖୋଜାଖୋଜି କରିଥିଲେ । ହେଲେ କୌଣସି ସନ୍ଧାନ ମିଳିନଥିଲା । ରାତିରେ ପୋଖରୀ ଭିତରେ ଶିଶୁପୁତ୍ରର ମୃତଦେହ ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ଉଦ୍ଧାର କରି ପାଟଣା ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି । ପୁଲିସ୍ ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
Powered by Froala Editor