ମଣିପୁରରେ ପୁଣି ଥରେ ଆଫସ୍ପା ଲାଗୁ
ମଣିପୁରରେ ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ହିଂସାପ୍ରଭାବିତ ଜିରିବାମ୍ ସମେତ ୬ ଥାନା ଅଞ୍ଚଳରେ କେନ୍ଦ୍ର ସରକାର ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (ଏଏଫ୍ଏସ୍ପିଏ) ପୁଣିଥରେ ଲାଗୁ କରିଛନ୍ତି।
ଏହା ଅଧୀନରେ ସୁରକ୍ଷା ବାହିନୀର ଅଭିଯାନର ସୁବିଧା ପାଇଁ ଏକ ଅଞ୍ଚଳକୁ 'ଅଶାନ୍ତ' ଘୋଷଣା କରାଯାଏ। ଗୃହ ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶନାମା ଜାରି କରି କହିଛି ଯେ ଚାଲିଥିବା ଜାତିଗତ ହିଂସା ଯୋଗୁଁ କ୍ରମାଗତ ଅସ୍ଥିର ପରିସ୍ଥିତି ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି।
ଇମ୍ଫାଲ ପଶ୍ଚିମ ଜିଲ୍ଲାର ସେକ୍ମାଇ ଓ ଲାମସାଙ୍ଗ, ଇମ୍ଫାଲ ପୂର୍ବ ଜିଲ୍ଲାର ଲାମ୍ଫେଲ, ଜିରିବାମ ଜିଲ୍ଲାର ଜିରିବାମ, କାଙ୍ଗପୋକ୍ପିର ଲେମାଖୋଙ୍ଗ ଏବଂ ବିଷ୍ଣୁପୁରର ମୋଇରାଙ୍ଗ ଆଦି ଥାନା ଅଞ୍ଚଳରେ ଆଫସ୍ପା ପୁନଃ ଲାଗୁ କରାଯାଇଛି। ଅକ୍ଟୋବର ପହିଲାରେ ୧୯ଟି ଥାନା ଅଞ୍ଚଳକୁ ବାଦ୍ ଦେଇ ସମଗ୍ର ରାଜ୍ୟରେ ଆଫସ୍ପା ଲାଗୁ କରିବାକୁ ମଣିପୁର ସରକାର ନିଷ୍ପତ୍ତି ନେବା ପରେ ଏହି ନୂଆ ଆଦେଶ ଆସିଛି।
ସୂଚନାଯୋଗ୍ୟ, ଗତ ସୋମବାର ଉଗ୍ରପନ୍ଥୀମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଜିରିବାମ୍ ଜିଲାର ଏକ ଥାନା ଏବଂ ସିଆର୍ପିଏଫ୍ କ୍ୟାମ୍ପ୍ ଉପରେ ଆକ୍ରମଣ କରିଥିଲେ। ସୁରକ୍ଷା ବଳ ସହ ଗୁଳିବିନିମୟ ବେଳେ ୧୧ ସନ୍ଦିଗ୍ଧ ଉଗ୍ରପନ୍ଥୀଙ୍କ ମୃତ୍ୟୁ ଘଟିଥିଲା। ଏହା ପରଦିନ ଜଣେ ମହିଳା ଓ ଶିଶୁଙ୍କ ସମେତ ୬ ଜଣ ସାଧାରଣ ନାଗରିକଙ୍କୁ ଉଗ୍ରପନ୍ଥୀ ଅପହରଣ କରିନେଇଥିଲେ।
Powered by Froala Editor