ଭୋଜପୁରୀ ଅଭିନେତ୍ରୀଙ୍କୁ ହତ୍ୟା ଧମକ
ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂଙ୍କୁ ହତ୍ୟା ଧମକ ଦିଆଯାଇଛି। ଅଜଣା ନମ୍ବରରୁ ତାଙ୍କୁ ଧମକପୂର୍ଣ୍ଣ କଲ୍ ଆସିଛି। ଅଭିନେତ୍ରୀ ଅକ୍ଷରା ସିଂଙ୍କ ମୋବାଇଲକୁ ୫୦ ଲକ୍ଷ ଟଙ୍କା ଦେବା ପାଇଁ ଏକ ଧମକପୂର୍ଣ୍ଣ କଲ ଆସିଥିବା ବେଳେ ଉକ୍ତ ନମ୍ବର ଜରିଆରେ ଅକ୍ଷରାଙ୍କୁ ଗାଳିଗୁଲଜ ବି କରାଯାଇଛି। ଏନେଇ ଅଭିନେତ୍ରୀ ଦାନାପୁର ପୁଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅକ୍ଷରାଙ୍କ ଅଭିଯୋଗ କ୍ରମେ ପୁଲିସ ତଦନ୍ତ ଆରମ୍ଭ କରିଛି।
ଅକ୍ଷରା କହିଛନ୍ତି, ନଭେମ୍ବର ୧୧ ଦିନ ପ୍ରାୟ ୧୨.୨୦ ସମୟରେ ତାଙ୍କୁ ଦୁଇଟି ଭିନ୍ନ ନମ୍ବରରୁ କଲ ଆସିଥିଲା। ସେ କଲ ପାଇବା ମାତ୍ରେ କଲ କରୁଥିବା ବ୍ୟକ୍ତି ତାଙ୍କୁ ଦୁର୍ବ୍ୟବହାର କରି ଧମକ ଦେଇଥିଲେ। ଦୁଇ ଦିନ ମଧ୍ୟରେ ୫୦ ଲକ୍ଷ ଟଙ୍କା ନ ଦେଲେ ତୁମକୁ ହତ୍ୟା କରାଯିବ ବୋଲି ଧମକ ଦେଇଛନ୍ତି।
ଭୋଜପୁରୀ ସିନେମାର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅକ୍ଷରା ସିଂ ଅନ୍ୟତମ। ଅକ୍ଷରା ସିଂ ଟିଭିରେ ମଧ୍ୟ କାମ କରିଛନ୍ତି। ସେ ଅନେକ ସିରିଏଲ କରିଛନ୍ତି।
ଇନ୍ସପେକ୍ଟର ପ୍ରଶାନ୍ତ କୁମାର ଭରଦ୍ୱାଜ କହିଛନ୍ତି, ଘଟଣାର ଅନୁସନ୍ଧାନ କରାଯାଉଛି। ନମ୍ବର ଟ୍ରାକ୍ କରି ଧମକଦାତାଙ୍କ ସୂଚନା ପାଇବା ପାଇଁ ଉଦ୍ୟମ ଜାରି ରହିଛି।
Powered by Froala Editor