ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ନିର୍ଦ୍ଦେଶକ, ଘରୁ ମିଳିଲା ଝୁଲନ୍ତା ମୃତଦେହ
କନ୍ନଡ଼ ଫିଲ୍ମ ନିର୍ଦ୍ଦେଶକ ଗୁରୁପ୍ରସାଦଙ୍କ ପରଲୋକ ଘଟିଛି । ସହରର ଉପକଣ୍ଠରେ ଥିବା ଏକ ଘରୁ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତଦେହ ଜବତ କରାଯାଇଥିବା ପୁଲିସ ସୂଚନା ଦେଇଛି। ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି।
ଗୁରୁପ୍ରସାଦ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ବୋଲି କୁହାଯାଉଛି । ତେଣୁ ମାନସିକ ଚାପ କାରଣରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘର ଭିତରୁ ଗନ୍ଧ ଆସିବା ପରେ ଗୁରୁପ୍ରସାଦଙ୍କ ପଡ଼ୋଶୀ ପୁଲିସରେ ଖବର ଦେଇଥିଲେ । ବେଙ୍ଗାଲୁରୁର ଆପାର୍ଟମେଣ୍ଟରୁ ଗୁରୁପ୍ରସାଦଙ୍କ ଶବକୁ ପୁଲିସ ଜବତ କରିଥିଲା ।
ପୁଲିସ ଅଧିକାରୀଙ୍କ ମୁତାବକ, କିଛିଦିନ ପୂର୍ବରୁ ଗୁରୁପ୍ରସାଦଙ୍କ ମୃତ୍ୟୁ ଘଟିଥିଲା । କେବେ ଓ କେଉଁ ପରିସ୍ଥିତିରେ ଗୁରୁପ୍ରସାଦଙ୍କ ମୃତ୍ୟୁ ଘଟିଥିଲା ସେନେଇ ପୁଲିସ ସନ୍ଧାନ ଜାରି ରଖିଛି । ମୃତ୍ୟୁ ବେଳକୁ ଗୁରୁପ୍ରସାଦଙ୍କ ବୟସ ୫୨ ବର୍ଷ ହୋଇଥିଲା । ଗୁରୁପ୍ରସାଦ ଗମ୍ଭୀର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ସେହି କାରଣରୁ ସେ କିଛି ଅଦାଲତ ସମ୍ବନ୍ଧିତ ମାମଲାର ସାମ୍ନା କରିଆସୁଥିଲେ । ତାଙ୍କର ଦ୍ୱିତୀୟ ପତ୍ନୀ ଏବେ ଗର୍ଭବତୀ ରହିଥିବା ବେଳେ ଦୁର୍ଘଟଣା ଦିନ ସେ ପରିବାର ସହ ଘରେ ରହିଥିଲେ ।
ଗୁରୁପ୍ରସାଦଙ୍କ ଅଚାନକ ବିୟୋଗ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏକ ବଡ଼ ଝଟକା ଦେଇଛି । ଗୁରୁପ୍ରସାଦ ମାତା, ୟେଡେଲୁ ମଞ୍ଜୁନାଥ ଭଳି ବହୁ ସୁପରହିଟ୍ ଚଳଚ୍ଚିତ୍ର ପାଇଁ ଲୋକପ୍ରିୟତା ସାଉଁଟିଥିଲେ। ସେ ଶ୍ରେଷ୍ଠ ନିର୍ଦ୍ଦେଶନା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି।
Powered by Froala Editor