ରାମଲାଲାଙ୍କ ପାଇଁ ଅଯୋଧ୍ୟାରେ ଜଳିଲା ୨୫ ଲକ୍ଷ ଦୀପ
ଦୀପାବଳିରେ ସଜେଇ ହେଲାଣି ରାମ ଜନ୍ମଭୂମି ଅଯୋଧ୍ୟା। ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏହା ହେଉଛି ପ୍ରଥମ ଦୀପାବଳି। ଏଥିପାଇଁ ପୂରା ଅଯୋଧ୍ୟା ରେକର୍ଡ ୨୫ ଲକ୍ଷ ଦୀପରେ ଝଟକିଛି। ଏକକାଳୀନ ଏତେ ସଂଖ୍ୟକ ଦୀପ ଜଳିବା ଗୋଟିଏ ବିଶ୍ୱ ରେକର୍ଡ।
ଦୀର୍ଘ ୫୦୦ ବର୍ଷର ପ୍ରତୀକ୍ଷା ପରେ ପ୍ରଥମ ଥର ପାଇଁ ଭଗବାନ ରାମ ଅଯୋଧ୍ୟାରେ ନବନିର୍ମିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଦୀପାବଳି ପାଳନ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ରୋଜଗାର ମେଳା ଅଧୀନରେ ନବନିଯୁକ୍ତ ଯୁବକମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବା ଅବସରରେ ଏହା କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷର ଦୀପାବଳିର ବିଶେଷତ୍ବ ରହିଛି । ୫୦୦ ବର୍ଷ ପରେ ଭଗବାନ ରାମ ଅଯୋଧ୍ୟାରେ ତାଙ୍କ ଭବ୍ୟ ମନ୍ଦିରରେ ବସିଛନ୍ତି ଏବଂ ତାଙ୍କ ସହ ଏହି ଭବ୍ୟ ମନ୍ଦିରରେ ପ୍ରଥମ ଦୀପାବଳି ପାଳନ କରାଯିବ।
ଏହାପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆରତି କରି ଦୀପୋତ୍ସବର ଶୁଭାରମ୍ଭ କରିଥିଲେ। ରାମାୟଣର କଳାକାରମାନେ ବସିଥିବା ରଥକୁ ମଧ୍ୟ ସେ ଟାଣିଥିଲେ।
ଚଳିତ ବର୍ଷର ଦୀପୋତ୍ସବ ପାଇଁ ସାକେତ ମହାବିଦ୍ୟାଳୟ ପକ୍ଷରୁ ୧୮ଟି ଚିତାକର୍ଷକ ପ୍ରଜ୍ଞାପନ ମେଢ଼ ତିଆରି କରାଯାଇଥିଲା। ଏହାବାଦ ସୂଚନା ବିଭାଗ ପକ୍ଷରୁ ୧୧ଟି ଓ ପର୍ଯ୍ୟଟନ ବିଭାଗ ଆଉ ୭ଟି ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରିଥିଲେ।
Powered by Froala Editor