ରାଜ୍ୟପାଳଙ୍କୁ ଦୁର୍ନୀତିଗ୍ରସ୍ତ କହି ଆକ୍ଷେପ କଲେ ମମତା
କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକରଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ମମତା ସୋମବାର ଧନକରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଆକ୍ଷେପ କରିବା ସହ ତୁରନ୍ତ ତାଙ୍କୁ ପ୍ରତ୍ୟାହାର କରିନେବାକୁ ଦାବି କରିଛନ୍ତି । ପୂର୍ବରୁ ତିନି ଥର ଏ ସମ୍ପର୍କରେ ଦାବି କରିଥିଲେ ମଧ୍ୟ କେନ୍ଦ୍ର ସରକାର ସେଥିପ୍ରତି ଧ୍ୟାନ ଦେଉ ନଥିବା ମମତା ଅଭିଯୋଗ କରିଛନ୍ତି । ମମତା କହିଛନ୍ତି ଯେ ୧୯୯୬ ର ବହୁଚର୍ଚ୍ଚିତ ଜୈନ ହାୱାଲା ମାମଲାର ଅଭିଯୋଗ ଫର୍ଦ୍ଧରେ ଧନକରଙ୍କ ନାମ ଥିଲା । ଏଭଳି ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ରାଜ୍ୟପାଳ ପଦରେ ବସାଯାଇଛି । ସେ ଏଠାରେ ବିଜେପି ପାଇଁ ପ୍ରତ୍ୟକ୍ଷ ରାଜନୀତିରେ ଲିପ୍ତ ଅଛନ୍ତି । ରାଜ୍ୟରେ ତୃଣମୂଳ କଂଗ୍ରେସ ପୂର୍ବାପେକ୍ଷା ଅଧିକ ସଂଖ୍ୟାରେ ବିଜୟ ହାସଲ କଲେ ମଧ୍ୟ ସେ ପଦ ତ୍ୟାଗ ନ କରି ସ୍ୱେଚ୍ଛାଚାରୀ କାର୍ଯ୍ୟ ଅବ୍ୟାହତ ରଖିଛନ୍ତି । ଜୁଲାଇ ୨ରେ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନରେ ରାଜ୍ୟପାଳଙ୍କୁ ବରଖାସ୍ତ କରାଯିବା ନେଇ ସଂକଳ୍ପ ଆଗତ ହେବ ବୋଲି ମମତା କହିଛନ୍ତି । ଏ ସଂକ୍ରାନ୍ତରେ ବାଚସ୍ପତି ବିମାନ ବାନାର୍ଜୀଙ୍କ ସହିତ ଆଲୋଚନା କରିଥିବା କହିଛନ୍ତି ।
Powered by Froala Editor