ଶିମିଳିପାଳକୁ ଆସିଲା ତଡ଼ବା ବାଘୁଣୀ

ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଏହି ବାଘୁଣୀକୁ ଅଣାଯାଇଛି। ପରବର୍ତ୍ତୀ ସମୟରେ ଏକ ସ୍ବତନ୍ତ୍ର ଟିମ୍ ଦ୍ବାରା ବାଘକୁ ଶିମିଳିପାଳ କୋର୍ ଏରିଆରେ ଛଡ଼ାଯିବ।
୨୦୨୪ ମସିହାରେ କରାଯାଇଥିବା ରାଜ୍ୟ ସ୍ତରୀୟ ବାଘ ଜନଗଣନା ଅନୁଯାୟୀ, ଓଡିଶାରେ ସମୁଦାୟ ୨୭ ଟି ରୟାଲ ବେଙ୍ଗଲ ବାଘ ଦେଖିବାକୁ ମିଳିଥିଲା, ସେଥିମଧ୍ୟରୁ ୨୪ଟି ଶିମିଳିପାଳ ଟାଇଗର ରିଜର୍ଭରେ, ଗୋଟିଏ କେନ୍ଦୁଝର ୱାଇଲ୍ଡ ଲାଇଫ ଡିଭିଜନରେ, ଗୋଟିଏ ପାରଳାଖେମୁଣ୍ଡି ଏବଂ ଗୋଟିଏ ହୀରାକୁଦ ୱାଇଲ୍ଡ ଲାଇଫ ଡିଭିଜନରେ ଦେଖିବାକୁ ମିଳିଥିଲା। ଏହି ପୃଥକ ଭାବରେ, ଗଣନା ସମୟରେ ଶିମିଳିପାଳରେ ୮ ଟି ବେଙ୍ଗଲ ଟାଇଗର ଛୁଆ ଦେଖାଯାଇଥିଲେ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଡ଼ିଶା ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ଦେଇଥିବା ସୂଚନା ଅନୁଯାୟୀ ଗତ ୧୦ ବର୍ଷ ମଧ୍ୟରେ ୭ ଟି ରୟାଲ ବେଙ୍ଗଲ ଟାଇଗର ସମେତ ଓଡିଶା ୫୫ ଟି ବାଘ ହରାଇଛନ୍ତି।
ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଥିଲେ। ସେଥିପାଇଁ ମହାରାଷ୍ଟ୍ରରୁ ମହାବଳ ଆଣିବା ପାଇଁ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ)ଙ୍କ ଅନୁମତି ଲୋଡିଥିଲା। ଏନ୍ଟିସିଏ ଏଥିପାଇଁ ଅନୁମତି ଦେଇଥିଲେ। ତା’ପରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟକୁ ଯାଇଥିଲେ। ତନାଘନା ପରେ ସେଠାରୁ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ବାଘୁଣୀ ଓଡ଼ିଶା ଆସିଛି।
Powered by Froala Editor