୨୩ରୁ ୨୫ ସ୍କୁଲ ଛୁଟି
ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ବାତ୍ୟା ଉପରେ ସୂଚନା ଜାରି କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ବାତ୍ୟାକୁ ନେଇ ସମୀକ୍ଷା ବୈଠକ କରିଥିଲେ । ଅନ୍ୟପଟେ ବାତ୍ୟାର ଗତିପଥକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଜାରି କରିବା ସହ ବାତ୍ୟା ଉତ୍ତର-ଓଡ଼ିଶାରେ ମାଡ଼ ହେବାର ସମ୍ଭାବନା ରହିଥିବା ଅନୁମାନ କରିଛି ।
ତେବେ ବାତ୍ୟା ପାଇଁ ସମସ୍ତ ସରକାର ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ଏସଆରସି ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟର ୧୪ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କଟକ, ନୟାଗଡ଼, ଖୋର୍ଦ୍ଧା, ଅନୁଗୁଳ ଓ ଯାଜପୁର ଜିଲ୍ଲାରେ ବାତ୍ୟା ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି ।
ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଉପରୋକ୍ତ ୧୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ଅଳ୍ପ କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇପାରେ। ଏମିତିକି ସମ୍ଭାବ୍ୟ ବାତ୍ୟା ଲ୍ୟାଣ୍ଡ ଫଲ୍ କଲା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି। ତେଣୁ ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ସ୍କୁଲଗୁଡ଼ିକ ଛୁଟି ଘୋଷଣା କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଏସଆରସି ଦେଓରଞ୍ଜନ କୁମାର ସିଂ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor