ସରକାର ପୂରା ପ୍ରସ୍ତୁତ: ସୁରେଶ ପୂଜାରୀ
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଦାନା’ ମୁକାବିଲା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ସରକାର ପୂରା ପ୍ରସ୍ତୁତ। କେବଳ ସମ୍ଭାବ୍ୟ ପ୍ରଭାବିତ ଜିଲା ନୁହେଁ, ପୂରା ୩୦ ଜିଲାରେ ପ୍ରସ୍ତୁତି ଜାରି ରହିବ। ୩୦ ଜିଲାରେ ଓଡ୍ରାଫ୍ ଟିମ୍ ମୁତୟନ ରହିବା ସହ ଏନ୍ଡିଆର୍ଏଫ୍ ମଧ୍ୟ ସତର୍କ ରହିବେ। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନ ଯିବା ପାଇଁ ସତର୍କ ସୂଚନା ଦିଆଯାଇଛି। ଟ୍ରଲରମାଲିକ ଯଦି ଜୋର୍ କରି ପଠାନ୍ତି, ତେବେ ତାଙ୍କ ପ୍ରତି କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସେ କହିଛନ୍ତି ରାଜ୍ୟ ମୁଖ୍ୟ ସଚିବ, ଏସ୍ଆର୍ସି ସମୀକ୍ଷା କରିଛନ୍ତି, ମୁଁ ବି ସମୀକ୍ଷା କରିବି। ସମୟ ଯେତେ ପାଖେଇ ଆସିବ, ଆମେ ସ୍ଥାନାନ୍ତର କାର୍ୟ୍ୟ ଆରମ୍ଭ କରିବୁ। ଆବଶ୍ୟକ ହେଲେ ଯଥେଷ୍ଟ ଆଗରୁ ମଧ୍ୟ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ, କେହି ଭୟଭୀତ ହୁଅନ୍ତୁନି ବୋଲି ରାଜସ୍ବ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଆଣ୍ଡାମାନ୍ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ସକାଳ ସମୟରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆଣ୍ଡାମାନସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ମଙ୍ଗଳବାର ସକାଳ ସୁଦ୍ଧା ଏକ ଅବପାତ ଏବଂ ବୁଧବାର ତାରିଖ ବେଳକୁ ଏକ ବାତ୍ୟାର ରୁପନେବାର ସମ୍ଭାବନା ରହିଛି ।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ଯେ, ୨୩, ୨୪, ୨୫ରେ ତିନି ଧରି ଅଧିକାଂଶ ସ୍ଥାନରେ ବର୍ଷା ହେବ । ବାତ୍ୟାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଗଜପତି ଜିଲାରେ ୧୧୦ ମିଲିମିଟର ପର୍ୟ୍ୟନ୍ତ ବର୍ଷା ହେବାର ଅନୁମାନ କରାଯାଇଛି । ଏହି ସମୟରେ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ୩୦ରୁ ସେମିରୁ ଊର୍ଦ୍ଧ୍ବ ବର୍ଷା ସମ୍ଭାବନା ମଧ୍ୟ ରହିଛି। ବିଶେଷ କରି ଜଗତସିଂହପୁର, ପୁରୀ, ଗଞ୍ଜାମ ଜିଲାରେ ଅଧିକ ବର୍ଷା ହେବ ।
Powered by Froala Editor