ଦାନା ବାନ୍ଧୁଛି ‘ଦାନା’: ୨୩ରେ ପ୍ରବଳ ବର୍ଷା
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ‘ଦାନା’ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ୨୩ ତାରିଖ ସକାଳ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ନେବ ବାତ୍ୟାର ରୂପ । ୨୪ ତାରିଖରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ଆକଳନ କରିଛି ଆଇଏମଡି ।
ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରି-ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଜ୍ୟ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି । ସେନେଇ ଜନସାଧାରଣ ଆଦୌ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଜିରୋ କାଜୁଆଲିଟି ପାଇଁ ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଏନେଇ ପ୍ରଶାସନକୁ ସହଯୋଗ କରିବାକୁ କୁହାଯାଇଛି ।
ରାଜୀବ ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଏସଆରସି ଦେଓରଞ୍ଜନ କୁମାର ସିଂ, ଉନ୍ନୟନ କମିଶନର ଅନୁ ଗର୍ଗ, କୃଷି ସଚିବ ଅରବିନ୍ଦ ପାଢ଼ୀ, ଫାୟାର ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଲ ଆଣ୍ଡ ଅର୍ଡର୍ ଏଡିଜି ସଞ୍ଜୟ କୁମାର ଏବଂ ଭୁବନେଶ୍ବରରେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।
ବୈଠକରେ ବାତ୍ଯା ନେଇ ସତର୍କତା ଜାରି କରାଯାଇଛି । ବାତ୍ୟା ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଞ୍ଚଳରେ ଲଗାତାର ନଜର ରଖିବାକୁ କୁହାଯାଇଛି ।
Powered by Froala Editor